Unknown

 

 

 

 

 

 

 

 

 

 

 

କାଳୀ-ବୋହୂ

କୁନ୍ତଳା କୁମାରୀ ଦେବୀ

 

କାଳୀ-ବୋହୂ

(୧)

ଏ ସୁନ୍ଦରୀଟି କିଏ ?

 

ସଞ୍ଜବେଳେ ପୋଖରୀ ହୁଡ଼ାରେ ଗାଲରେ ହାତ ଦେଇ ବସି ଭାବୁଛି, ଏ ସୁନ୍ଦରୀଟି କିଏ-? ଆକାଶରେ ତାରା ଉଇଁଲେଣି, ବାରିରେ ମଲ୍ଲି ଫୁଟିଲେଣି, ଗଛରେ ବାଦୁଡ଼ି ଲାଗିଲେଣି, ଗୁହାଳରେ ଗୋରୁ ପଶିଲେଣି, ହଳିଆ ମୂଲିଆ କ୍ଷେତ କାମ ସାରି ବସାକୁ ବାହୁଡ଼ିଲେଣି, କୁଳବଧୂମାନେ ଜଳପୂର୍ଣ୍ଣ କଳସ ଘେନି ଗାଁକୁ ନେଉଟିଲେଣି, ଅଥଚ, ନିଦ ଭାଙ୍ଗୁନାହିଁ, ଏକା ୟାର-? ମାଠିଆ ମଙ୍ଗଟି ହାତରେ ଧରି, ପାଣି ତୁଠକୁ ଗୋଡ଼ପାରି ଗାଲରେ ହାତ ଦେଇ ବସି ଭାବୁଛି ଏ କିଏ ? ଏହାର ନୀଳେନ୍ଦିବର–ନୟନରୁ ଉଷ୍ଣ-ଅଶ୍ରୁଧାରା କିମ୍ପା ବହୁଛି ? ପାଠକ ! ଏ ଜଣେ ବାଲ୍ୟବିଧବା । ଏହାର ନାମ ଲକ୍ଷ୍ମୀ ।

 

ଅନେକ ଜପତପ ଦାନଧ୍ୟାନ ତୀର୍ଥଦର୍ଶନ ପରେ ବିବାହର ଅଠର ବର୍ଷ ବାଦ ଯେତେବେଳେ କମଳାର ଗୋଟେ ସନ୍ତାନ ଜାତ ହେଲା, ସେ ଝିଅ ହେଲେ ମଧ୍ୟ ଆନନ୍ଦରେ ମିଶ୍ରଙ୍କର ଘର ଫାଟି ପଡ଼ିଲା । ମିଶ୍ରେ ଧନୀ, ମହାଜନ । ଧାନ, ଚାଉଳ, ନଡ଼ିଆ, ଗୁଆ, ପୋଲାଙ୍ଗ, ଆମ୍ବ, ପଣସ, ଆଖୁ ଇତ୍ୟାଦି ବଡ଼ ବଡ଼ କାରବାରରେ ବାର୍ଷିକ ଲକ୍ଷାଧିକ ଟଙ୍କା ଆମଦାନି ହୁଏ । ବାଟି ଦି’ ବାଟି ଧାନ ଜମିରେ ତ ସୁନା ଫଳେ, ଗୁହାଳରେ ଅସଂଖ୍ୟ ଗାଈ ବାଛୁରୀ, ଘିଅ ଦୁଧରେ ଘର ଭାସୁଛି । ଦାସ ଦାସୀ, ପୋଇଲି ପରିବାରୀ, ହଳିୟା ମୂଲିଆର ଅଭାବ ନାହିଁ; କିନ୍ତୁ ସବୁ ଥାଇ ନ ଥିଲା ଗୋଟିଏ କଥା । ଅର୍ଥାତ୍‍ ମିଶ୍ରେ ନିଃସନ୍ତାନ । ମିଶ୍ରଙ୍କର ଚାରି ବିବାହ କିନ୍ତୁ କାହାରି ଅଦ୍ୟାବଧି ସନ୍ତାନ ସୌଭାଗ୍ୟ ଲାଭ ଘଟିନାହିଁ । ଶେଷକୁ ବିବାହର ଅଠର ବର୍ଷ ପରେ ମଧ୍ୟମା ପତ୍ନୀ କମଳାଙ୍କ କନ୍ୟାଟି ଲାଭ ସେ ପରିବାର ପକ୍ଷରେ କିପରି ମହାଆନନ୍ଦର ବିଷୟ, ଏହା ସହଜରେ ବୁଝାପଡ଼ୁଥିବ । ମିଶ୍ରେ ମହା ସମାରୋହରେ କନ୍ୟାର ଜାତକର୍ମାଦି କଲେ । ତଦୁତ୍ତାରେ ସପ୍ତମ ବର୍ଷରେ ପଦାର୍ପଣ ନ କରୁଣୁ ସର୍ବସୁଲକ୍ଷଣବନ୍ତ ପିତାମ୍ବର ନାମକ ୧୦ ବର୍ଷ ବୟସ୍କ ବ୍ରାହ୍ମଣ କୁମାର ସହିତ କନ୍ୟାର ବିବାହ କରାଇ ଦେଲେ । ଲକ୍ଷ୍ମୀ ଚାରି ମାଁର ଅତି ଆଦରର ଦୁଲଣୀ । ପିତାର ନୟନମଣି କହିଲେ ଅତ୍ୟୁକ୍ତି ହେବନାହିଁ । କିନ୍ତୁ ଲକ୍ଷ୍ମୀର କପାଳ ଫାଟିଲା । ଦଶବର୍ଷ ବୟସରେ ଲକ୍ଷ୍ମୀ ବିଧବା ହେଲା । ଅତୁଳ ସମ୍ପତ୍ତି, ପିତାମାତାର ବିପୁଳ ସ୍ନେହ, ତାହାର ଚିର ନିଷ୍ଫଳ ଜୀବନର ଯାତନା ଦୂରୀକରଣାର୍ଥେ ସମର୍ଥ ହେଲାନାହିଁ ।

 

ଲକ୍ଷ୍ମୀ ବିଧବା ହେଲା, ବିଶାଳ କୁଳର ଏକମାତ୍ର ମୁକୁଳ ଅକାଳରେ ଝଡ଼ିଲା, ପିତାମାତାଙ୍କ ଦୌହିତ୍ର ଆକାଙ୍‍କ୍ଷା ନିଷ୍ଫଳ ହେଲା, ଆଉ କିଏ ଧୈର୍ଯ୍ୟ ଧରି ରହିବ ? ଲକ୍ଷ୍ମୀ ଧନୀର କନ୍ୟା ହେଲେ ସୁଦ୍ଧା ଶାସ୍ତ୍ର କି ତା’ପାଇଁ ବାଟ ରଖିଥିଲା । ଦଶବର୍ଷର ଶିଶୁକୁ ସମ୍ପୂର୍ଣ୍ଣ ନିରାଭରଣା କରି, ହବିଷ୍ୟ ଖୁଆଇବାର ବ୍ୟବସ୍ଥା ହେବା ସମୟରେ କମଳା ମୂର୍ଚ୍ଛିତ ହେଲେ । ବିଧାତା ନ ଦେଇଥିଲା ନାହିଁ । ସନ୍ତାନ ଦେଇ ସନ୍ତାନର ଏ ଯାତନା ? କ୍ରୀଡ଼ାଗତପ୍ରାଣା ଲକ୍ଷ୍ମୀ ତାହାର ସ୍ୱାମୀ କିଏ, କିଛି ଜାଣି ନଥିଲା । ବଳପୂର୍ବକ ତା’ଦେହରୁ ଅଳଙ୍କାର କାଢ଼ିଦେଲାରୁ ସେ କେତେ କାନ୍ଦିଲା, କେତେ ଅଳି କଲା, କିନ୍ତୁ ଆଉ କିଏ ଶୁଣୁଛି ? ତାହାର ମୁଣ୍ଡରୁ ସିନ୍ଦୂର ଲିଭିଲା, ହାତରୁ ଅଳଙ୍କାର ଗଲା, ଗୋଡ଼ରୁ ଅଳତା ପୋଛା ହେଲା । ଲକ୍ଷ୍ମୀର ହବିଷ୍ୟ ବ୍ୟବସ୍ଥାରେ କମଳା ନିଜେ ହବିଷ୍ୟ କଲେ । ଘରୁ ଆନନ୍ଦର କୋଳାହଳ ନିବୃତ୍ତ ହେଲା । ସମସ୍ତେ ଦୁଃଖ ସାଗରରେ ଭାସିଲେ ।

 

ବିଧବାର ନିର୍ଜ୍ଜଳା ଏକାଦଶୀ ପଡ଼ିଲା । ସେଦିନ ଅଚ୍ୟୁତ ମିଶ୍ରଙ୍କ ମୁହଁକୁ ଅନ୍ନ ରୁଚିଲା ନାହିଁ । ଲକ୍ଷ୍ମୀ ଅତ୍ୟନ୍ତ ସୁକୁମାରୀ, ଉପବାସରେ କ୍ଷୀଣ ହେଲା, କିନ୍ତୁ ପିତାମାତା ଧୈର୍ଯ୍ୟ ଧରି କେବଳ ଅଶ୍ରୁପାତ କଲେ । ‘‘ପାଣି ପାଣି” ଚିତ୍କାର କରି ବାଳିକା ମୂର୍ଚ୍ଛିତା ହେଲା, ତାହାର କାନରେ ପାଣି ଟୋପିଏ ଦିଆଗଲା କିନ୍ତୁ, ଶୁଷ୍କକଣ୍ଠ ଆର୍ଦ୍ର କରିବାର ବ୍ୟବସ୍ଥା ହେଲାନାହିଁ ।

 

କନ୍ୟାର କ୍ରମାଗତ ଏ ଦୁଃଖ, ମାତାର ସହ୍ୟ ହେଲା ନାହିଁ । ଚିନ୍ତାରେ ଚିନ୍ତାରେ ତାଙ୍କୁ ରୋଗ ଗ୍ରାସ କଲା । ଶେଷକୁ ମୃତ୍ୟୁ ଆସି ସବୁ ଯନ୍ତ୍ରଣାର ଅବସାନ କଲା । ଅଚ୍ୟୁତ ମିଶ୍ର କନ୍ୟା ଚିନ୍ତାରେ ଉନ୍ମାଦ ପ୍ରାୟ ହେଲେ । ଦୂର ସମ୍ପର୍କୀୟ ପୁତୁରାଟିକୁ ବିଷୟ ସମ୍ପତ୍ତି ଅର୍ପଣ କରି କନ୍ୟାକୁ ଘେନି ତୀର୍ଥଯାତ୍ରା କଲେ । କିନ୍ତୁ କାହିଁରେ ତାଙ୍କର ଶାନ୍ତି ହେଲାନାହିଁ । ବୈଧବ୍ୟର ଅସୀମ କଷ୍ଟ ଅଙ୍ଗରେ ନିଭାଇ ସୁଦ୍ଧା ଲକ୍ଷ୍ମୀ ଯୌବନରେ ପଦାର୍ପଣ କଲା । ଦେହରେ ରୂପ ଉଛୁଳି ପଡ଼ିଲା ।

 

ଲକ୍ଷ୍ମୀ ପରମା ସୁନ୍ଦରୀ । କଳାବର୍ଣ୍ଣ ସହିତ ତାହାର ଅତୁଳନୀୟ ଲଳିତ କାନ୍ତି, ସର୍ବାଙ୍ଗର ନବନୀତା କୋମଳ ସୌନ୍ଦର୍ଯ୍ୟ, ତରଙ୍ଗାୟିତ ନିବିଡ଼ କୃଷ୍ଣ କେଶରାଶି, ବିଶାଳ ନୀଳେନ୍ଦିବର ନୟନ ଯୁଗଳ ସେ ଦେଖୁଥିଲା, ସେ ଘଡ଼ିଏ ଚାହୁଁଥିଲା । କିନ୍ତୁ କି ହେବ ? ସବୁ ନିଷ୍ଫଳ । ବ୍ୟର୍ଥ ଜୀବନର ଯାତନା, ଚିରଅନ୍ଧକାର ଭବିଷ୍ୟତର ଦାରୁଣ ପରିହାସ ଲକ୍ଷ୍ମୀକୁ ତିଳେ ତିଳେ ଘାରି ପକାଇଲା-। ଲକ୍ଷ୍ମୀ ବୁଝିଲା ଏ ଜଗତରେ ତାହାର ସ୍ଥାନ ନାହିଁ । ପୂର୍ବ ଜନ୍ମକୃତ କି ପାପ ସକାଶେ ସେ ଆଜି ଚିରବୈଧବ୍ୟ-ବନ୍ଧନରେ ଆବଦ୍ଧ ଏହା କିଛି ବୁଝି ପାରିଲା ନାହିଁ । କେବଳ ଝରିଲା ଆଖିରୁ ଲୁହ, ଦାରୁଣ ନୈରାଶ୍ୟର ଉଷ୍ଣ ଲୋତକ ।

 

ଲକ୍ଷ୍ମୀର ଚୌଦବର୍ଷ ବୟସ । ପିତାଙ୍କ କୃପାରୁ କିଛି ପାଠଶାଠ ପଢ଼ିଥିଲା । ତୀର୍ଥାଦି ଦର୍ଶନ କରି ଅନେକ ଜ୍ଞାନ ଲାଭ କରିଥିଲା; ତଥାପି ତାହାର ହୃଦୟରେ କୌଣସି ସାନ୍ତ୍ୱନା ଆସିଲା ନାହିଁ । ସେ କିମ୍ପା ଆଜି ଏକାନ୍ତ ନିରାଶ୍ରୟ ନିଃସଙ୍ଗ ଜୀବନ ବହନ କରି ଏ ଜଗତରେ ବଞ୍ଚିଛି ? କିମ୍ପା ଜଗତର ସମଗ୍ର ଭୋଗ ତା’ ପାଇଁ ବାରଣ ? କିମ୍ପା ନାରୀତ୍ୱ, ମାତୃତ୍ଵରୁ ଆଜି ସେ ବଞ୍ଚିତ ? କି ଦୋଷରୁ କି ପାପରୁ ଏ ଦାବ ଦହନ ? ଲକ୍ଷ୍ମୀ କେବଳ ଦିବାରାତ୍ର ତାହାହିଁ ଭାବୁଥିଲା । ବିବାହ, ପାତିବ୍ରତ୍ୟ ଇତ୍ୟାଦି କୌଣସି ବିଷୟ ସେ ବୁଝି ପାରିଲା ନାହିଁ । ବିବାହ କଣ ? କାହାକୁ ସେ ବିବାହ କରିଥିଲା, କିଏ ତାହାର ପତି, ତାହାର ପାତିବ୍ରତ୍ୟର ଦାବୀ କିଏ କରେ । ଏହା ସେ ଏକାନ୍ତରେ, ପୋଖରୀ ହୁଡ଼ାରେ ବସି ଭାବେ । ସଞ୍ଜ ବୁଡ଼ିଯାଏ, ଦୀପ ଲାଗେ, ଠାକୁର ଘରେ ଆରତି ହୁଏ; କିନ୍ତୁ ଲକ୍ଷ୍ମୀ ଉଠିପାରେ ନାହିଁ । ସେ ଅପାର ଚିନ୍ତାରେ ମଗ୍ନ ଥାଏ ।

 

ଆଜି ମଧ୍ୟ ଲକ୍ଷ୍ମୀ ତଦ୍ରୂପ ଚିନ୍ତିତା; ସମବୟସ୍କା ଦୁର୍ଲ୍ଲଭା ଆସି ତାହାର ପଛାଡ଼ୁ ଠେଲି ଦେଇ କହିଲା, ‘‘କିଲୋ ନଖି ! ମାଠିଆଟି ଧରି ବଇଛୁ କିଆଁ, କାଲି ଏକାଦଶୀ ବୋଲି ଭାବୁଛୁ କି ? ଲୁଚେଇ ଲୁଚେଇ ପୋଡ଼ ପିଠା ଖାଇଦବୁ ମ ! କିଏ ଦେଖିବ ? ମୋ’ ରାଣଟି !” ଦୁର୍ଲ୍ଲଭା ଲକ୍ଷ୍ମୀକୁ ଅତ୍ୟନ୍ତ ଭଲ ପାଏ । ଲକ୍ଷ୍ମୀ ତାକୁ କୋଳକୁ ଟାଣି ଆଣି କହିଲା—‘‘ଦୁଲି, ଏକାଦଶୀ ସକାଶେ ଭାବୁନାହିଁ । ଭାବୁଛି ଏକାଦଶୀ କିଏ ଗଢ଼ିଲା ? ତା’ ପ୍ରାଣରେ କଣ ଟିକିଏ ଦୟା ନ ଥିଲା ? ମାଇକିନା ଝୁଅର ଦୁଃଖ ବିଚାର ବେଳକୁ କଣ ବିଧାତା ତାକୁ ପଥର କରିଥିଲା ?”

 

ଦୁର୍ଲ୍ଲଭା ତା ପାଟିରେ ହାତ ଦେଇ ତାର ଉଛୁଳି ପଡ଼ୁଥିବା କୋହକୁ ଚାପି କହିଲା–‘‘ସେମିତି କହନା ଲୋ–ଶାସତର କଣ ମିଛ ଲେଖିଛି ? ଦିଅଁ ଦେବତା ଅମଙ୍ଗଳ କରିବେ-।”

 

ତାକୁ ଆହୁରି କୋଳକୁ ଟାଣି ଆଣି ଲକ୍ଷ୍ମୀ କାନ୍ଦି କାନ୍ଦି କହିଲା, ‘‘ଭଉଣୀ, ମୋ ହିଆଭିତରେ ନିଆଁ ଜଳୁଛି, ଆଉରି କହୁଛୁ ଦିଅଁ ଦେବତା ଅମଙ୍ଗଳ କରିବେ ! ମୋ’ ପାଇଁ ମଙ୍ଗଳ ଆଉ କଣ ଅଛି ? ଜନମରୁ ଅଭାଗିନୀ ମାଁ ପେଟରୁ ନ ମଲି ? ମୋ’ ଜନ୍ମ ବିଧାତା ଲେଖିଥିଲା ବ୍ରାହ୍ମଣ କୁଳରେ । ବାପା ମାଁ ସଭିଙ୍କର ଦୁଃଖର କାରଣ ହେଲି ।” ଦୁର୍ଲ୍ଲଭା ନୀରବରେ ସଙ୍ଗିନୀ ସହିତ ରୋଦନ କଲା । ନବଯୌବନା ଲକ୍ଷ୍ମୀର ଚିର ବୈଧବ୍ୟ ସହିତ, ନିଜର ପତିପୁତ୍ର ପରିବୃତ ସୁଖମୟ ଜୀବନର ତୁଳନା କରି ତା’ ହୃଦୟ ଫାଟି ପଡ଼ିଲା । ଗଭୀର ଖେଦରେ କହିଲା—‘‘ଲକ୍ଷ୍ମୀ, ଶାସତର ଖାଲି ଆମ ମାଇକିନିଆଙ୍କ ସକାଶେ । ହିନ୍ଦୁ କୁଳରେ ଶାସତର ଖାଲି ଆମ ବେକରେ ଛୁରି—’’

 

ସଞ୍ଜ ବୁଡ଼ିଲାରୁ ଦିହେଁ ଉଠି ଘରକୁ ଗଲେ ।

Image

 

(୨)

ଚନ୍ଦ୍ରୋଦୟ

 

ପିତାଙ୍କ ଇଚ୍ଛାନୁସାରେ ବି.ଏ. ପାଶ କରି ଏମ୍‍.ଏ., ବି. ଏଲ ପଢ଼ୁଥିଲେ ସୁଦ୍ଧା ଭବିଷ୍ୟତ ଓକିଲାତି ଆଡ଼କୁ ଚନ୍ଦ୍ରୋଦୟର ତ ଆଦୌ ମନ ନ ଥିଲା; ‘ମିଛର ବ୍ୟବସାୟ’ କହି ନାକ ଟେକୁଥିଲା-। ତାହାର ଇଚ୍ଛା ଥିଲା, ସେ ଉନ୍ନତ ହେବ, ଦେଶର ହିତାର୍ଥେ, ସମାଜର ସଂସ୍କାରାର୍ଥେ ଜୀବନ ଦେବ-। ବାଲେଶ୍ୱରର ନାମଜାଦା ଓକିଲ ଆଉ ଜମିଦାର ଅଭୟଚନ୍ଦ୍ରଙ୍କ ଏକମାତ୍ର ପୁତ୍ର, ଧନର ଅଭାବ ନ ଥିଲା, ଜ୍ଞାନରେ ମଧ୍ୟ ଊଣା ନଥିଲା, ସଙ୍ଗକୁ ମିଳିଥିଲେ ସଦ୍‍ଗୁରୁ ସ୍ୱାମୀ ସଦାନନ୍ଦ-

 

ସଦାନନ୍ଦଙ୍କ ଘର ଗଡ଼ଜାତ ଆଡ଼େ । ଜାତି ଯେ ତାଙ୍କର କଣ ଥିଲା, ତାଙ୍କର ପୂର୍ବନାମ କଣ ଇତ୍ୟାଦି କେହି କିଛି ଜାଣି ନ ଥିଲେ । କେବଳ ଲୋକେ ଜାଣିଥିଲେ, ସେ ଜଣେ ଓଡ଼ିଆ ଅଲେଖ ଧର୍ମବାଦୀ ଏବଂ ମହାଭକ୍ତ, ମହାତ୍ୟାଗୀ ଓ ମହାଜ୍ଞାନୀ । ଭାରତର ସମଗ୍ର ତୀର୍ଥ ସେ ବୁଲିଥିଲେ । ରାମକୃଷ୍ଣ ପରମହଂସ ଏବଂ ସ୍ୱାମୀ ବିବେକାନନ୍ଦଙ୍କୁ ଦର୍ଶନ କରିଥିଲେ । ଶ୍ରୀଯୁକ୍ତ କେଶବଚନ୍ଦ୍ର ସେନଙ୍କ ସହିତ ତାଙ୍କର ଆଳାପ ଥିଲା । ବାଳ ଗଙ୍ଗାଧର ତିଳକଙ୍କ ସଙ୍ଗେ ସୌହାର୍ଦ୍ଦ୍ୟ ଲାଭ କରିଥିଲେ । ବର୍ତ୍ତମାନ ସେ ବୃଦ୍ଧ କିନ୍ତୁ ଅଖଣ୍ଡ ବ୍ରହ୍ମଚର୍ଯ୍ୟରେ ଆଜି ମଧ୍ୟ ଯୌବନର ଶ୍ରୀ ଦେହରେ ବିଦ୍ୟମାନ ।

 

ଭାରତର ନବ ଯୁବକବର୍ଗଙ୍କୁ ଭାରତର ଅବସ୍ଥା କଣ, କି ଉପାୟରେ ତାହାର ଉନ୍ନତି ହେବ, କି କି ବିଷୟ ତ୍ୟାଗ କଲେ ଭାରତର ଅତୀତ ସ୍ଵର୍ଣ୍ଣ ଯୁଗ ଫେରି ଆସିବ, ସେ ସର୍ବଦା ପରମ ଉତ୍ସାହରେ ଶିକ୍ଷା ଦେଉଥିଲେ । ଓଡ଼ିଆ, ହିନ୍ଦୀ, ବଙ୍ଗଳା, ଇଂରାଜୀ ଓ ଉର୍ଦ୍ଦୁରେ ତାଙ୍କର ଅସାମାନ୍ୟ ଅଧିକାର ଥିଲା । ବେଦ ବେଦାନ୍ତବିତ୍‍ ପରମ ଦାର୍ଶନିକ ସଦାନନ୍ଦ, ଚନ୍ଦ୍ରଙ୍କୁ ସ୍ନେହରେ ପୁତ୍ରରୂପେ ଗ୍ରହଣ କରି ଓଡ଼ିଶାର ଉନ୍ନତି ସକାଶେ ପ୍ରସ୍ତୁତ କରିବାକୁ ଲାଗିଲେ ।

 

ଗୁରୁଙ୍କ ଅମୂଲ୍ୟ ଉପଦେଶ ଫଳରେ, ‘‘ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରୀୟସୀ” ଏହି ମହାବାକ୍ୟ ଚନ୍ଦ୍ରୋଦୟଙ୍କର ହୃଦୟର ମର୍ମସ୍ଥଳରେ ଖୋଦିତ ହୋଇଗଲା । ଚନ୍ଦ୍ର ଯଦ୍ୟପି କଲିକତାର ଭବାନୀପୁର କଲେଜ ମେସରେ ରହିଥିଲେ ତଥାପି ସଦାନନ୍ଦଙ୍କ ନିର୍ଦ୍ଦେଶାନୁସାରେ ଜୀବନଯାପନ କରୁଥିଲେ । କ୍ରମେ କ୍ରମେ ଗୁରୁଙ୍କ ପ୍ରଭାବରେ ଚନ୍ଦ୍ରୋଦୟଙ୍କ ଜୀବନରୁ ଅଜ୍ଞାନ-କୁସଂସ୍କାରର ଯବନିକା ଉତ୍ତୋଳିତ ହେଲା । ସେ ଦେଶସେବାର୍ଥେ ପ୍ରାଣବଳି ଦେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେଲେ । ନିରର୍ଥକ ବି. ଏଲ୍‍. ପାଇଁ ପ୍ରସ୍ତୁତ ନ ହୋଇ କଲେଜ ଛାଡ଼ିବାର ହିଁ ସ୍ଥିର କଲେ । ପିତାଙ୍କୁ ଉକ୍ତ ବିଷୟ ଜଣାଇ ପତ୍ର ଲେଖିଲେ । ଅଭୟଚନ୍ଦ୍ରଙ୍କ ମସ୍ତକରେ ବଜ୍ରାଘାତ ହେଲା ।

 

ଆତ୍ମବାସନା ପିତୃପଦରେ ନିବେଦନ କରି ଚନ୍ଦ୍ର ଗୃହତ୍ୟାଗ କଲେ । ସଦାନନ୍ଦ ତାଙ୍କୁ ସଙ୍ଗେ ସଙ୍ଗେ ଘେନି ଓଡ଼ିଶାର ବିଭିନ୍ନାଞ୍ଚଳ ଦର୍ଶନାର୍ଥେ ବାହାରିଲେ ।

 

ସେ ବର୍ଷ ଓଡ଼ିଶାର ଅବସ୍ଥା ଯେପରି ହୋଇଥିଲା, ଊଣାଧିକ ୧୦।୧୨ ବର୍ଷ ମଧ୍ୟରେ ଏପରି କେବେହେଁ ହୋଇ ନଥିଲା । ଏକେ ତ ସମୟରେ ବର୍ଷା ହେଲା ନାହିଁ । ଧାନଗଛ ଠିଆ ଠିଆ କ୍ଷେତରେ ଝାଉଁଳି ଗଲା । ଶ୍ରାବଣ ମାସରେ କ୍ଷେତରେ ନଡ଼ିଆ ଭାଙ୍ଗିଲା । ଦ୍ଵିତୀୟରେ ଅସମୟରେ ଭାଦ୍ର ଆଶ୍ୱିନ ମାସ ଆଡ଼ିକି ସମ୍ବଲପୁର ଜିଲ୍ଲାରେ ଘୋର ବର୍ଷା ହୋଇ ସବୁ ନଦୀଯାକ ଏକୂଳ ସେକୂଳ ଖାଇଲେ । ତଳହଟି ଜିଲ୍ଲା ଆଉ ଦକ୍ଷିଣଆଡ଼େ ସବୁ ଦେଶ ବଢ଼ିରେ ଭାସିଲା । ରେଲ ଲାଇନ ଭାଙ୍ଗିଲା । ରଥଯାତ୍ରା ବେଳେ ପୁରୀରେ ଓଲାଉଠା ଆରମ୍ଭ ହୋଇ ଦେଶମୟ ବ୍ୟାପିଲା । ଭୀଷଣ ଦୁର୍ଭିକ୍ଷ, ଭୟଙ୍କର ମହାମାରୀ; ଏକାନ୍ତ ଆଶ୍ରୟହୀନତା ଯୋଗୁଁ ଲକ୍ଷ ଲକ୍ଷ ଓଡ଼ିଆ ଦେଶ ଛାଡ଼ି ପଳାଇଲେ । କୁଲି ଡିପୋ ପ୍ରତିଦିନ ୨୦୦ । ୪୦୦ କୁଲି ଆସାମ, ଡାରଜିଲିଂ ଇତ୍ୟାଦି ସ୍ଥାନମାନଙ୍କରେ ଚାହା ବଗିଚାରେ କାମ କରିବାକୁ ଚଲାଣ ଦେଲା । ଅଧିକାଂଶ ସ୍ତ୍ରୀ କୁପଥଗାମିନୀ ହୋଇ କଲିକତା ମାନ୍ଦ୍ରାଜ ଆଡ଼େ ବାହାରିଗଲେ । କେତେ କେତେ ଲୋକ ମଜୁରୀ ଖଟିବାକୁ ବ୍ରହ୍ମଦେଶ, ଶ୍ୟାମ, ମଳୟ, ପିନାଙ୍ଗ ଇତ୍ୟାଦି ଆଡ଼େ ଛିନ୍ନଭିନ୍ନ ହେଲେ । ରୁଗ୍‍ଣ, ସାମର୍ଥ୍ୟହୀନ, ଅନାଥ ମାତ୍ର ଦେଶରେ ପଡ଼ି ରହି ଅନାହାର, ଅର୍ଦ୍ଧାହାର ଫଳରେ ନାନାଦି ରୋଗରେ ମରିବାକୁ ଲାଗିଲେ । ଓଡ଼ିଶା ଶ୍ମଶାନତୁଲ୍ୟ ହେବାକୁ ବସିଲା । ଉପେନ୍ଦ୍ର, ଯଯାତି, ଐର, ଅନଙ୍ଗଭୀମଙ୍କ ଦେଶରେ କେବଳ ‘‘ହା ଅନ୍ନ ହା ଅନ୍ନ’’ ଶୁଭିଲା । ବିଦେଶରେ ଓଡ଼ିଆ ହେଲେ କୁଲି ଜାତି । କଳିଙ୍ଗର ଗୌରବମୟ ନାମ ପରିବର୍ତ୍ତେ ତାଙ୍କରି ପୂର୍ବପୁରୁଷ ବିଜିତ ଜାଭା, ବାଲି, ବୋର୍ଣ୍ଣିଓ, ଶ୍ୟାମ, ପିନାଙ୍ଗରେ ଓଡ଼ିଆ ହେଲେ ରେଳ ଲାଇନରେ କୁଲି, କଳକାରଖାନାରେ ମଜୁରିଆ, କଲିକତାରେ ହେଲେ ବାବୁଘରେ ପୂଝାରୀ, ନୋହିଲେ ଷ୍ଟେସନ ବା ଷ୍ଟିମର ଘାଟରେ ମୋଟିଆ ।

 

ସଦାନନ୍ଦଙ୍କ ଓଡ଼ିଆ ପ୍ରାଣରେ ଏହା ବଡ଼ ବାଧିଲା । ସେ ଓଡ଼ିଶାର ସଂସ୍କାର ସକାଶେ ଅଣ୍ଟା ଭିଡ଼ି ଠିଆ ହେଲେ । ସମ୍ବଳସ୍ୱରୂପ ଥିଲା ନିଜର ଅତୁଳନୀୟ ଦେଶପ୍ରେମ, ସ୍ୱାର୍ଥତ୍ୟାଗ, ଧର୍ମବଳ ଓ ଚବିଶବର୍ଷ ବୟସ୍କ ଚନ୍ଦ୍ରୋଦୟ ।

 

ବିପିନ ବିହାରୀ ଘୋଷ କଲିକତାର ଯେପରି ଜଣେ ପ୍ରଖ୍ୟାତନାମା ଚିକିତ୍ସକ, ସେହିପରି ଉଦାରମୟ । ତାଙ୍କର ଅଗାଧ ସମ୍ପତ୍ତି ଏବଂ ସନ୍ତାନ ମଧ୍ୟରେ ଗୋଟିଏ ମାତ୍ର କନ୍ୟା । କନ୍ୟାଟିର ମଧ୍ୟ ଧନୀ ଗୃହରେ ବିବାହ ହୋଇଥିଲା । ସେଥିପାଇଁ ତାଙ୍କର ଆଉ ବିଶେଷ କିଛି ଭାବନା ନ ଥିଲା-। ଚାରି ବର୍ଷ ତଳେ ତାଙ୍କର ପତ୍ନୀ ବିୟୋଗ ଘଟିଥିଲା । ସୁଯୋଗ୍ୟ ସହଧର୍ମ୍ମିଣୀଙ୍କୁ ହରାଇ ଦ୍ଵିତୀୟବାର ପରିଗ୍ରହର ଆଉ ଇଚ୍ଛା କଲେ ନାହିଁ । ବୁଢ଼ା ଚିକିତ୍ସା କରନ୍ତି, ଖବର କାଗଜ ପଢ଼ନ୍ତି, ଦେଶ ଓ ବିଦେଶର ହିତ କଥା ଭାବନ୍ତି । ସମ୍ପ୍ରତି ଦୁଇ ବର୍ଷ ହେଲା ସ୍ୱାମୀ ସଦାନନ୍ଦଙ୍କର ସେ ମନ୍ତ୍ରଶିଷ୍ୟତ୍ୱ ଗ୍ରହଣ କରି ଅଲେଖ ନିରଞ୍ଜନଙ୍କର ଉପାସକ ହୋଇଅଛନ୍ତି ।

 

ସନ୍ଧ୍ୟାବେଳେ ଖାସ୍‍ କାମଡ଼ାରେ ଗୁରୁଶିଷ୍ୟଙ୍କର ନିମ୍ନଲିଖିତ କଥୋପକଥନ ହେଲା ।

 

ଗୁରୁ—ଆଉ କାହିଁରେ ମଜ୍ଜିଛ ? ସଂସାରର ବନ୍ଧନ କନ୍ୟାଙ୍କୁ ସତ୍‍ପାତ୍ରସ୍ଥ କରି ସାରିଲଣି । ତିନୋଟି ଦୌହିତ୍ରର ମୁଖ ଦର୍ଶନ ଘଟିଲାଣି । ଏସମୟରେ ସଂସାରର ତ୍ୟାଗ ହିଁ ତୁମ୍ଭର ଶ୍ରେୟଃ । ପୂର୍ବକାଳରେ ଏ ବୟସରେ ଭାରତୀୟମାନେ ବାନପ୍ରସ୍ଥ ଅବଲମ୍ବନ କରି ଭଗବତ୍‍ ଚିନ୍ତାରେ ସମୟ କଟାଉଥିଲେ । ଆଜି ଭାରତ ବିଶାଳ ଅରଣ୍ୟ । ଏହାର ସର୍ବାଙ୍ଗ କୁସଂସ୍କାର-ଅନ୍ଧକାର ସମାଚ୍ଛନ୍ନ । ଏ ସମୟରେ ତୁମ୍ଭର ଅଗାଧ ସମ୍ପତ୍ତି ଅସୀମ ଜ୍ଞାନର ସଦ୍‍ବ୍ୟବହାର କର ।

 

ଶିଷ୍ୟ ନତ ମସ୍ତକରେ ଗୁରୁଙ୍କୁ ପ୍ରଣାମ କରି ଚରଣ ଧୂଳି ଗ୍ରହଣ ପୂର୍ବକ କହିଲେ–‘‘ପିତଃ ! ଆପଣଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟ କରିବାକୁ ସେବକ ସଦା ପ୍ରସ୍ତୁତ ଅଛି । ଶ୍ରୀ ଛାମୁରୁ ଆଜ୍ଞା ହେଉ ।”

 

ଗୁରୁ ଖଣ୍ଡିଏ ସମ୍ବାଦପତ୍ର ଶିଷ୍ୟ ହସ୍ତରେ ପ୍ରଦାନ କରି ଉତ୍କଳର ବର୍ତ୍ତମାନ ଦୁର୍ଦ୍ଦଶା ବିଷୟ ବୁଝାଇ କହିଲେ—‘‘ଭାରତମାତାର ଗୋଟିଏ ଅଙ୍ଗରେ ପୀଡ଼ା ହେଲେ, ଅନ୍ୟ ଅଙ୍ଗକୁ ବାଧିବ ନାହିଁ କି ? ଉତ୍କଳ ଭଗିନୀର ଦୁର୍ଦ୍ଦଶାରେ ବଙ୍ଗ ଭଗିନୀର ହୃଦୟ ବିଦୀର୍ଣ୍ଣ ହେବ ନାହିଁ କି ? ତୁମ୍ଭେ ବଙ୍ଗାଳୀ ବୋଲି କି ଓଡ଼ିଆ ସକାଶେ ତୁମ୍ଭ ହୃଦୟ ବ୍ୟଥିତ ହେବ ନାହିଁ ?”

 

‘‘ଅବଶ୍ୟ ହେବ’’ ଏହା କହି ବିପିନ ବାବୁ କିଛିକ୍ଷଣ ପରେ କହିଲେ,‘‘ପିତଃ, ଏ ଦାସ କଣ କରିବ ?”

 

ଗୁରୁ—କେବଳ ଅଧୁନା ତୁମ୍ଭର ପୂର୍ଣ୍ଣ ସହାନୁଭୂତି ପ୍ରୟୋଜନ । ଭବିଷ୍ୟତରେ ତୁମ୍ଭର କର୍ତ୍ତବ୍ୟ କଣ ତାହା ଜଣାଇବି ?

 

ଏହା କହି ଗୁରୁ ପ୍ରଭୁଙ୍କ ନାମ ଉଚ୍ଚାରଣ କରୁ କରୁ ବାହାରି ଚାଲିଗଲେ ।

 

ଓଡ଼ିଶାର କଥା ଚିନ୍ତା କରି ବିପିନ ଦୁଃଖିତ କଣ୍ଠରେ କହିଲେ—‘‘ଏଡ଼େ ବଡ଼ ଜାତି ଆଜି ମାଟି କାମୁଡ଼ିଲେ । ହା ଭଗବାନ ! ଭାରତ ଭାଗ୍ୟରେ କି ଏହାହିଁ ଲେଖିଛ ?’’ ତାଙ୍କର ଆଖିରୁ ଅଶ୍ରୁ ଝରିଲା ।

Image

 

(୩)

ବାଳବିଧବା

 

ଲକ୍ଷ୍ମୀର ପିତା ଅଚ୍ୟୁତ ମିଶ୍ରଙ୍କର ଚାରି ସ୍ତ୍ରୀ । ତଥାପି ତାଙ୍କର ଚରିତ୍ର ନିଷ୍କଳଙ୍କ ନ ଥିଲା-। ଯୌବନର ଉନ୍ମାଦ ଉଚ୍ଛୃଙ୍ଖଳତାର ଫଳସ୍ୱରୂପ ସନ୍ତାନ ସୁଖରୁ ବଞ୍ଚିତ ହୋଇଥିଲେ । ବହୁକଷ୍ଟରେ ଅନେକ ଔଷଧାଦି ସେବନ ପରେ କେବଳ ମାତ୍ର ଲକ୍ଷ୍ମୀର ଜନ୍ମ ହେଲା । ଦେହରେ ନାନାଦି ରୋଗର ଆବିର୍ଭାବ ହେତୁ ଅକାଳ ବାର୍ଦ୍ଧକ୍ୟ ଦେଖା ଦେଲା । ଏ ସମୟରେ ଆଦର ଦୁଲଣୀ ଲକ୍ଷ୍ମୀ ବିଧବା ହେଲା । ଏ ଶୋକ ଉପଶମ ନ ହେଉଣୁ କମଳାର ମୃତ୍ୟୁ ହେଲା । ମିଶ୍ରେ ବଡ଼ ଆଘାତ ପାଇଲେ; ଆଘାତର ଉପଶମାର୍ଥ ତୀର୍ଥଯାତ୍ରା ଛଳରେ ଦେଶ ବୁଲି ବାହାରିଲେ ।

 

କଥାରେ କହନ୍ତି, ‘‘ଯୋ ଅଉଲ୍‍ ସେ ବିଗଡ଼ା ଓ କବି ନାହିଁ ସୁଧରା ।” କନ୍ୟାର ବୈଧବ୍ୟ, ପତ୍ନୀର ମୃତ୍ୟୁ ଇତ୍ୟାଦି ମିଶ୍ରଙ୍କ ହୃଦୟରେ ସାମୟିକ ଆଘାତ କରିଥିଲା ମାତ୍ର । କିଛିକାଳ ଅନ୍ତେ ତାଙ୍କର ପୂର୍ବ ରୂପ ପ୍ରକାଶ ପାଇଲା ।

 

ପିତୃଚରିତ୍ର ଲକ୍ଷ୍ମୀ ସମକ୍ଷରେ ଗୋପନ ନ ଥିଲା । ଯଦ୍ୟପି ମିଶ୍ରେ ଦୁଇ ଘଣ୍ଟା ପୂଜା କରୁଥିଲେ, ନାମର ମାଳୀ ଘେନୁଥିଲେ, ଗେରୁଆ କସ୍ତା ପିନ୍ଧୁଥିଲେ । ପ୍ରତ୍ୟେକ କଥାରେ ‘ହରି ହରି ଶିବ ଶିବ’ ହେଉଥିଲେ; ବିଧବାର ସର୍ବସ୍ଵ ହରଣ ବେଳକୁ; କୃଷକର ସର୍ବସ୍ଵ ଗ୍ରାସକଲା ବେଳକୁ; ଖାତକର ଖାତାରେ ଚକ୍ରବାଡ଼ି ସୁଧ କଷିଲା ବେଳକୁ ତାଙ୍କର ଧର୍ମଟି ‘‘ଧ” ଅକ୍ଷରରେ ପର୍ଯ୍ୟବସିତ ହେଉଥିଲା । ଯାହାକୁ ଧରୁଥିଲେ, ଅଷ୍ଟପଦୀର ନାଗପାଶରେ ଧରୁଥିଲେ । ତଣ୍ଟି ଚିପି, ରକ୍ତ ଶୋଷି ତେବେ ଛାଡ଼ୁଥିଲେ । ଆଗରେ କିଛି କହି ନ ପାରିଲେ ସୁଦ୍ଧା ‘‘ଆରେ ତୁ ନିର୍ବଂଶିଆ ହ’ ରେ, ପାଣି ଟୋପିଏ ମୁହଁରେ ଦେବାକୁ କେହି ନଥାଉ ରେ;” ସହସ୍ର ହୃଦୟରୁ ମହାଦୁଃଖରେ ଉତ୍ଥିତ ମର୍ମ୍ମଭେଦୀ ବାଣୀ ତାଙ୍କର ମସ୍ତକରେ ବର୍ଷୁଥିଲା । ନିଦର୍ଶନ ସ୍ୱରୂପ ବାଳବିଧବା କନ୍ୟାଟି ସମସ୍ତଙ୍କର ଟାହୁଲିର ପାତ୍ରୀ ହେଲା । ପିତୃପାପର ପ୍ରାୟଶ୍ଚିତ ତୁଲ୍ୟ ନବୋଭିନ୍ନ ଯୌବନର ଅପାର ସୌନ୍ଦର୍ଯ୍ୟ, ଅତୁଳନୀୟ ମାଧୁରୀ, ଦରସ୍ଫୁଟ କୁସୁମର ନବ ଶିଶିର-ବିନ୍ଦୁ ଭୂଷିତ ସୁଷମା ଘେନି ପରମ ଗୁଣବତୀ ଲକ୍ଷ୍ମୀ ପିତୃ ସଦନରେ କାଳ କାଟିଲା ।

 

କିନ୍ତୁ କାଳ କି କାଟି ପାରୁଥିଲା ? ନବ କିଶଳୟ–ଦଳରେ କାହାର ଅଭିରୁଚି ନ ହୁଏ; ନବ କୋରକର ମନ୍ଦ ବିକାଶ କିଏ ସ୍ନେହ ଚକ୍ଷୁରେ ନ ଦେଖେ ? ମିଶ୍ର ପରିବାରର ଯୁବକବର୍ଗ ପତିହୀନା ଲକ୍ଷ୍ମୀକୁ ସେଇ ଦୃଷ୍ଟିରେ ଦେଖିବାକୁ ଲାଗିଲେ ।

 

ଲକ୍ଷ୍ମୀ ବିଧବା, ଅଥଚ ରୂପବତୀ । ତାହାର କୃଷ୍ଣବର୍ଣ୍ଣରେ ଗୋଟିଏ ସ୍ନିଗ୍ଧ, ମଧୁର ପ୍ରଶାନ୍ତ ସୋମ୍ୟ ଭାଵ ସମସ୍ତଙ୍କୁ ତା’ ପ୍ରତି ଆକୃଷ୍ଟ କଲା । ଲକ୍ଷ୍ମୀ ବିଧବା, ଅର୍ଥାତ୍‍ ନାଓ୍ୟାରିସ୍‍ । ତାହାର ଯୌବନ, ତାହାର ହୃଦୟ ସୌନ୍ଦର୍ଯ୍ୟ ଦାବୀ କରିବାକୁ ଆପଣାର ବୋଲିବାକୁ ତ୍ରିଭୁବନରେ କେହି ନାହିଁ । ଶ୍ୟାମସୁନ୍ଦର, ନବଘନ, କେଦାରନାଥ, କମଳାକାନ୍ତ କିମ୍ପା ତାକୁ ଅତୃପ୍ତ ନୟନରେ ନ ଦେଖିବେ ? ତାଙ୍କର ଦୋଷ କଣ ? କାଳୀର ଏତେ ରୂପ ! କାଳୀ ପ୍ରତିମାଟି ସତେ ଯେପରି ଦ୍ୱାପରର ଦ୍ରୌପଦୀ !

 

ଲକ୍ଷ୍ମୀ ନିଜର ଅବସ୍ଥା ବୁଝିଲା । ବୁଝି କାନ୍ଦିଲା । ଯଦି ବିଧାତା ତାକୁ ବିଧବା କଲା, ଅସାମାନ୍ୟ ରୂପର ଅଧିକାରିଣୀ କିମ୍ପା କଲା ? ପୁଣି ଏ ଦୁର୍ଦ୍ଦଶାରେ ସହାୟସ୍ଵରୂପ ମାତ ଅଞ୍ଚଳଟି ମଧ୍ୟ ଛିନ୍ନ କଲା । ବିମାତାଙ୍କ ସ୍ନେହ ମଧ୍ୟରେ ପ୍ରଚ୍ଛନ ହିଂସାର ହଳାହଳ ସେ ବୁଝିଥିଲା, କିନ୍ତୁ ସେ କଣ କରିବ ? ବିଶାଳ ସଂସାରରେ ତା’ ଦୁଃଖରେ ଭାଗୀ କିଏ ହେବ ? ସମସ୍ତେ ଯେ ତାହାର ଶତ୍ରୁ-। ତାହାର ପିତାର ଅଗାଧ ସମ୍ପତ୍ତି । ସମ୍ପତ୍ତି କଣ କରି ନ ପାରେ ? କିନ୍ତୁ ଲକ୍ଷ୍ମୀ–ଜୀବନରେ ସମ୍ପଦର ପ୍ରୟୋଜନ ନ ଥିଲା । ଏକବେଳା ହବିଷ୍ୟାନ୍ନ, ଛେଦା ଲୁଗା ଖଣ୍ଡେ ଯାହାର ସମ୍ବଳ, ସେ ସମ୍ପତ୍ତି ଘେନି କରିବ କଣ ? ବିଶାଳ ପରିବାର ମଧ୍ୟରେ ;ଲକ୍ଷ୍ମୀ ଆଜି ଘୋର ଏକାକିନୀ ।

 

ସୀତା ସାବିତ୍ରୀଙ୍କ ଚରିତ୍ର ସେ ପାଠ କରିଥିଲା; ତାଙ୍କ ତୁଲ୍ୟ ପତିବ୍ରତା ହେବାକୁ ତାହାର ମନ ବଳିଲା । କିନ୍ତୁ ପତିଙ୍କୁ ସ୍ମରଣ ହେଲା ନାହିଁ । ଥରେ ଶିଶୁକାଳେ ପିତାମ୍ବରକୁ ଦେଖିଥିଲା; ତାହାର ରୂପ ତ ଆଉ ସ୍ମରଣ ନ ଥିଲା । ତାହା ସହିତ ନିଜର ବିବାହ ହୋଇଛି; ଏତିକି ମାତ୍ର ଜାଣିଥିଲେ ହେଁ ବିବାହ ଯେ କେତେବେଳେ ସେ କିପରି କରିଥିଲା, କିଛି ମନେ ପଡ଼ିଲା ନାହିଁ । ତାହାର ମନେ ହେଲା; କେତେଗୁଡ଼ିଏ କୁଳାଚାରର ବଜ୍ରବନ୍ଧନରେ ସେ ଆଜି ଶୃଙ୍ଖଳିତା । ଟିକିଏ ହଲଚଲ ହେବାର ଉପାୟ ନାହିଁ । ଅଥଚ କିମ୍ପା ଏପରି ହେଲା; ଜଗତ କତିରେ ସେ କି ଦୋଷ କରିଥିଲା; ତାହା ତାହାର କ୍ଷୁଦ୍ର ହୃଦୟର ଅନୁଭୂତିକୁ ଆସିଲା ନାହିଁ । ହାୟ ବାଳବିଧବା ! ତୁ ଆଜି ବ୍ରହ୍ମଚାରିଣୀ; ହବିଷ୍ୟ ପରାୟଣା । ଆଉ ତୋହରି ବୃଦ୍ଧ ପିତା ହୀରାକୁ ଘେନି ଆମୋଦ ପ୍ରମୋଦ-ନିରତ । ପାପର ଭୀଷଣ ନରକ ପୁରୀରେ ଚୌଦ ବର୍ଷ ବୟସ୍କା ବାଳିକାକୁ ଶାସ୍ତ୍ର-ବନ୍ଧନରେ ବାନ୍ଧି ପିଞ୍ଜରାବଦ୍ଧ କରିଛି; ଆଉ ସମାଜପତି ବୃଦ୍ଧ ଯେ ତୁମ୍ଭେ, ତୁମ୍ଭେ ପାର୍ବତୀର ରୂପ ମୋହରେ ଭାସୁଛ-। ତୁମ୍ଭ ଅଙ୍ଗରେ ଚନ୍ଦନ ଅତର; ପାନବୋଳରେ ଓଠ ପାଚିଛି; ମାଣିଆବନ୍ଧି, ଟସର ଯୋଡ଼ ନ ହେଲେ ତୁମର ଚଳୁ ନାହିଁ । ଅଥଚ ତୁମରି ଯୁବତୀ କନ୍ୟା ତୁମରି ଆଗରେ ନିରାଭରଣା, ମ୍ଳାନମୁଖୀ, ଚ୍ଛେଦା ପିନ୍ଧି ବୁଲୁଛି ।

 

ଆଉ ହେ ମାତା ! ନିଜେ ବୃଦ୍ଧ ବୟସରେ ପାତିଆ, ସିନ୍ଦୂର, ମହଣ, କଜ୍ଜଳ, ଅଳତା ଛାଡ଼ି ନାହଁ । ପାନ ରଙ୍ଗରେ ଅଧର ରଙ୍ଗାଇଛ, ହାତ ପଚେଇ, ହଳଦୀ କାଠୁଆ, ତେଲ ଫରୁଆ ନ ହେଲେ ଗାଧୁଆ ଚଳୁନାହିଁ; ସର୍ବାଙ୍ଗ ଅଳଙ୍କାରରେ ମଧୁର ରୁଣୁଝୁଣୁରେ ଭରପୂର । ତୁମ୍ଭରି କତିରେ ଠିଆ ହୋଇଥିବା ବିଧବା ଝିଅଟିର ହୃଦୟଭେଦୀ ଦୀର୍ଘନିଶ୍ୱାସ ତୁମ୍ଭଙ୍କୁ ଶୁଭୁନାହିଁ କି ଆଖି ପତାରୁ ଓହଳିଥିବା ଲୁହ ଟୋପିକ ତୁମ ଆଖିକୁ ଦିଶୁନାହିଁ କି ?

 

ହେ କ୍ରୂର କୁଳକାମିନୀବର୍ଗ ! ତୁମ୍ଭେ କିପରି ଚାରିବେଳା ଚାରି କଂସା ଭାତ ଧରି ଖାଉଛ-? ରୋହିମାଛ, ଇଲିସି, ଶୁଖୁଆ, ତାମ୍ପଡ଼ା ପୋଡ଼ା ନ ହେଲେ ଭାତ ରୁଚୁନାହିଁ । ଅଥଚ ତୁମରି ନଣନ୍ଦଟି, ତୁମରି ଭାଉଜଟି ବେଲାଏ ଅରୁଆ ମୁଠାକୁ ସମ୍ବଳ କରି ପଡ଼ିଛି । ନିର୍ଦ୍ଦୟ ସମାଜ-? ହସ ନାହିଁ । ରୋଦନ କର । ତୁମ ଉପରେ ଦଶ ଲକ୍ଷ ବିଧବାର କୋଡ଼ିଏ ଲକ୍ଷ ଆଖିର ଲୁହ ଝରୁଛି-। ଧରି ରଖିଲେ ମହାନଦୀ ପୂରି ଯିବଟି ।

Image

 

(୪)

ସେବକ ସଂଘର କାର୍ଯ୍ୟ

 

କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ସ୍ଵଗୃହ ଭିଜାଗାପଟ୍ଟମରେ ଥିଲେ ସୁଦ୍ଧା, ସେ ସମଗ୍ର ମନ ପ୍ରାଣ ସହିତ ଓଡ଼ିଆକୁ ଭଲ ପାଉଥିଲେ, କାରଣ ତାଙ୍କ ଶିରାପ୍ରଶିରାରେ ଓଡ଼ିଆ ରକ୍ତ ବୋହୁଥିଲା । ତାଙ୍କ ଦେଶ ଆଧୁନିକ ଉତ୍କଳ ସହିତ ଏକ ପ୍ରଦେଶାଧୀନ ନହେଲେ ହେଁ ପ୍ରାକୃତିକ ଉତ୍କଳ ହିଁ ତାଙ୍କର ଜନ୍ମ ଭୂମି ଥିଲା । ସେ ନିଖିଳ ଉତ୍କଳ ଧରଣୀକୁ ‘‘ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରୀୟସୀ” ଚକ୍ଷୁରେ ଦେଖୁଥିଲେ । ମାନ୍ଦ୍ରାଜ ବିଶ୍ୱବିଦ୍ୟାଳୟରେ ଏମ. ଏ . ଉପାଧିରେ ଭୂଷିତ ହୋଇ କିଛି କାଳ ପ୍ରଫେସରି କଲା ପରେ ତାଙ୍କର ହଠାତ୍‍ ମନ ପରିବର୍ତ୍ତନ ହୋଇଗଲା । ଚାକିରିର ଗୋଲାମିଗିରି ତ୍ୟାଗ କରି ସେ ବ୍ରହ୍ମପୁରରେ ରହି ସ୍ୱାଧୀନ ଭାବେ ଜୀବିକାର୍ଜ୍ଜନର ଚେଷ୍ଟା କଲେ ।

 

ସ୍ୱୟଂ ଧନୀ ଥିବାରୁ କି ଉପାୟରେ ଦେଶର ହିତ କରିବେ, ଏହି ବିଚାର ସର୍ବଦା ତାଙ୍କର ହୃଦୟରେ ଖେଳି ବୁଲିଲା । ଶେଷକୁ ଅନେକ ଭାବି ଚିନ୍ତି ସାହିତ୍ୟ ବ୍ୟବସାୟ ପ୍ରତି ତାଙ୍କର ସ୍ପୃହା ହେଲା । ସେ ନିଜେ ଜଣେ ସାହିତ୍ୟସେବୀ ଏବଂ ଓଡ଼ିଆ ଭାଷା ପ୍ରତି ତାଙ୍କର ଅସାଧାରଣ ପ୍ରୀତି ଥିଲା । ଯେଉଁ ଦେଶର ସାହିତ୍ୟ ଯେତିକି ଉନ୍ନତ, ସେ ଦେଶର ଲୋକ ତେତିକି ଉନ୍ନତ—ଏହି ଭାବ ଘେନି ସେ କାର୍ଯ୍ୟକ୍ଷେତ୍ରରେ ପଦାର୍ପଣ କଲେ । ପ୍ରଥମେ ବ୍ରହ୍ମପୁରରେ ନିଜର ଯୋଗ୍ୟ ସହଧର୍ମ୍ମିଣୀ ସରସ୍ଵତୀଙ୍କ ନାମରେ ଗୋଟିଏ ଛାପାଖାନା ଖୋଲି ‘‘ଜାଗରଣ” ନାମକ ସାପ୍ତାହିକ ପତ୍ରିକା ପ୍ରକାଶ କଲେ । ପତ୍ରିକା ନାନାଦି ସୁଚିନ୍ତିତ ପ୍ରବନ୍ଧାଦିରେ ପୂର୍ଣ୍ଣ ହେଉଥିଲା । ସ୍ଥାନୀୟ ସମ୍ବାଦ ଛଡ଼ା ଉତ୍କଳର ନବ ଜାଗରଣ ବିଷୟ ହିଁ ତାହାର ପ୍ରଧାନ ଆଲୋଚ୍ୟ ବିଷୟ ହେଲା । ଉତ୍କଳର ନବ ଯୁବକମାନଙ୍କର କର୍ତ୍ତବ୍ୟ କଣ, ଏହି ବିଷୟ ଘେନି ସ୍ୱାମୀ ସଦାନନ୍ଦ ସର୍ବଦା ସେହି ପତ୍ରିକାରେ ଲେଖୁଥିଲେ । ତାଙ୍କର ଅମୃତମୟୀ ଲେଖନୀର ପ୍ରାଣସ୍ପର୍ଶୀ ରଚନା ଫଳରେ, ଅଚିରେ ଗଞ୍ଜାମରେ ନବ ଯୁଗର ସୂଚନା ହେଲା । ଯୁବକମଣ୍ଡଳୀ ମଧ୍ୟରେ ଚାଞ୍ଚଲ୍ୟ ଦେଖାଗଲା । ସ୍ୱାମୀ ସଦାନନ୍ଦ ମଧ୍ୟେ ମଧ୍ୟେ ଆସି, ବ୍ରହ୍ମପୁର, ଇଚ୍ଛାପୁର, ଜୟପୁର, ପାରଳା, ଟିକାଲି, ମଞ୍ଜୁଷା ଇତ୍ୟାଦି ସ୍ଥାନ ମାନଙ୍କରେ ବୁଲି ବୁଲି ବକ୍ତୃତା ଦେଉଥିଲେ । ଧନୀ ସନ୍ତାନବର୍ଗ ପ୍ରତି, ଯେଉଁମାନଙ୍କର ନିତ୍ୟ ଅନ୍ନଚିନ୍ତା ନ ଥିବାରୁ ବିଳାସିତାର ଚରମ ସୀମାକୁ ଯାଉଥିଲେ, ତାଙ୍କର ବିଶେଷ ଦୃଷ୍ଟି ପଡ଼ିଲା । ସେହିମାନେ ଯେ ଦେଶର ସର୍ବବିଧ କାର୍ଯ୍ୟର ଅଗ୍ରଣୀ ହୋଇପାରିବେ, ଏହା ତାଙ୍କର ଦୃଢ଼ ବିଶ୍ୱାସ ଥିଲା ।

 

କେତେକ ବର୍ଷ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ କୃଷ୍ଣଚନ୍ଦ୍ର ପ୍ରମୁଖ ଉତ୍ସାହୀ ନବଯୁବକବର୍ଗଙ୍କୁ ଘେନି ଗୋଟିଏ ସ୍ଵେଚ୍ଛାସେବକ ସଂଘ ସ୍ଥାପିତ ହେଲା । ସଂଘରେ ନିମ୍ନଲିଖିତ ନିର୍ଦ୍ଧାରଣମାନ ସ୍ଥିରୀକୃତ ହେଲା—

 

୧—ଯେଉଁମାନେ ଗ୍ରାସାଚ୍ଛାଦନର ସମ୍ପୂର୍ଣ୍ଣ ସଂସ୍ଥା ନଥିବା ସତ୍ତ୍ୱେ କେବଳ ଦେଶପ୍ରେମ ପ୍ରଣୋଦିତ ହୋଇ ଦେଶ ମାତାର ସେବାରେ ଅଗ୍ରସର ହେବେ, ସେମାନେ ଏ ସଂଘର ସଭ୍ୟ ଶ୍ରେଣୀର ଯୋଗ୍ୟ ବିବେଚିତ ହେବେ ।

 

୨—ଓଡ଼ିଶାର ଶିଳ୍ପ, ବାଣିଜ୍ୟ, ସାହିତ୍ୟର ଉନ୍ନତି ଓ ନିଖିଳ ଉତ୍କଳର ଏକୀକରଣ, ଏ ସଂଘର ପ୍ରଧାନ ସାଧନାର ବିଷୟ ହେବ ।

 

୩—ସମାଜ ସଂସ୍କାର, ଜାତିଭେଦ ଦୂରୀକରଣ, ମାନବ ମାନବ ମଧ୍ୟରେ ପ୍ରୀତି ସଂସ୍ଥାପନ ଏବଂ ନାରୀ ଜାତିର ଉନ୍ନତି ସାଧନ ଏ ସଂଘର ମୁଖ୍ୟ ଉଦ୍ଦେଶ୍ୟ ହେବ ।

 

୪—ଈଶ୍ୱରଙ୍କ ନାମ ଘେନି ପ୍ରତିଜ୍ଞାପୂର୍ବକ ନିଜ ଚରିତ୍ରକୁ ସୁଦ୍ଧ ରଖି, ସର୍ବପ୍ରକାର ନିଶା ସେବନରୁ ବିରତ ହୋଇ ସଂଘର ପ୍ରତ୍ୟେକ ସଭ୍ୟ ଆତ୍ମ କର୍ତ୍ତବ୍ୟ ପାଳନରେ ତତ୍ପର ହେବେ ।

 

ସଂଘର ଉପରୋକ୍ତ ନିର୍ଦ୍ଧାରଣ ଫଳରେ କେବଳ ଉତ୍ତେଜନାର ବଶବର୍ତ୍ତୀ ହୋଇ କେହି ସଭ୍ୟଶ୍ରେଣୀଭୁକ୍ତ ହୋଇ ପାରିଲେ ନାହିଁ । କତିପୟ ଧନୀସନ୍ତାନମାନଙ୍କୁ ଘେନି ପ୍ରଥମେ ଗୋଟିଏ କ୍ଷୁଦ୍ର ମଣ୍ଡଳି ରଚିତ ହେଲା । କ୍ରମେ କ୍ରମେ ପ୍ରାକୃତିକ ଓଡ଼ିଶାର ବିଭିନ୍ନାଞ୍ଚଳରେ ଶାଖା ସଂଘମାନ ସ୍ଥାପିତ ହେଲା । ସ୍ୱାମୀ ସଦାନନ୍ଦ ସ୍ଥାୟୀ ସଭାପତି ଥିବାରୁ ସଂଘର ନିୟମକୁ ତିଳେ ମାତ୍ର ଶୀଥିଳ ହେବାକୁ ଦେଉନଥିଲେ । କେହି ଯେପରି ବୃଥା ଉତ୍ତେଜନାର ବଶବର୍ତ୍ତୀ ହୋଇ ସଂଘରେ ପ୍ରବେଶ କରି ନ ପାରେ, ଏଥିପ୍ରତି ତାଙ୍କର ତୀବ୍ର ଦୃଷ୍ଟି ଥିଲା ।

 

ତାଙ୍କର ପ୍ରଗାଢ଼ ଅଧ୍ୟବସାୟ ଫଳରେ ଉତ୍କଳର ଧନୀ ଯୁବକ ବର୍ଗ ମଧ୍ୟରେ ନବପ୍ରାଣ ସଞ୍ଚାରିତ ହେଲା । ଯେଉଁମାନେ ପିତୃପିତାମହ ଉପାର୍ଜ୍ଜିତ ବିପୁଳ ସମ୍ପତ୍ତି ଅସତ୍‍ପଥ ଓ ନିଶା ସେବନାଦିରେ ଅପବ୍ୟୟ କରୁଥିଲେ, ସେମାନେ ଭାବିଲେ ଦେଶ ଆଉ ଦଶର କଥା । ତାଙ୍କ ଅର୍ଥର ସଦ୍‍ବ୍ୟବହାର ହେଲା । ଶିଳ୍ପ, ବାଣିଜ୍ୟ, ସାହିତ୍ୟାଦିର ଉନ୍ନତି ସଂଘର ପ୍ରଧାନ ସାଧନାର ବିଷୟ ଥିବାରୁ ଯୁବକମାନେ ସେ ଆଡ଼କୁ ଦୃଷ୍ଟି ଫେରାଇଲେ ।

 

ସମ୍ବଲପୁରୀ ମଠାର ଆଦର ବଢ଼ିଲା, ଜୟପୁରୀ କଂସା ବାସନ ବଜାରରେ ବିକ୍ରିତ ହେଲା । ଗଞ୍ଜାମ ଜିଲ୍ଲାଟାଯାକରେ କେଉଁଠି ସାବୁନ କାରଖାନା, କେଉଁଠି କାଗଜ କଳ, କାହିଁବା ବସ୍ତ୍ର ବୟନଶାଳା ସ୍ଥାପିତ ହେଲା । ପ୍ରତ୍ୟେକ ଗଡ଼ଜାତ ନିଜ ରାଜ୍ୟ ଉତ୍ପନ୍ନ ଶିଳ୍ପ ଓ ବାଣିଜ୍ୟ ଯୋଗ୍ୟ ପଦାର୍ଥମାନଙ୍କର ସଦ୍‍ବ୍ୟବହାର କରିବାକୁ ଲାଗିଲେ । ଯୁବକମାନଙ୍କର ଚରିତ୍ର ଦିନେ ଦିନେ ଉନ୍ନତ ହେଲା ।

 

ଭୁବନେଶ୍ୱରରେ କୃଷି ବିଦ୍ୟାଳୟ ସ୍ଥାପିତ ହେଲା । ପୁରୀ ଜିଲ୍ଲାରେ ମାଛ ଆଉ ଲୁଣର ବ୍ୟବସାୟ କିପରି ଭଲରେ ଚଳିବ, ଏହାଘେନି ଅନେକ କାର୍ଯ୍ୟ ମଧ୍ୟ କରାଗଲା । ବାଣପୁରର ଦିଆସିଲ କାରଖାନାରୁ ଦିଆସିଲ ଭିନ୍ନ ଅନ୍ୟ ଦିଆସିଲ କେହି ବ୍ୟବହାର କଲେନାହିଁ । ମଧୁବାବୁଙ୍କ ଟାନେରୀ ଯୋତା ନହେଲେ ଓଡ଼ିଆ ଆପଣା ଗୋଡ଼ରେ ଅନ୍ୟ ଯୋତା ପୁରାଇଲେ ନାହିଁ । ମୟୁରଭଞ୍ଜର ହାତୀ ଦାନ୍ତର ଶଙ୍ଖା, କଟକର ରୂପା ସୁନା ଗହଣା, ବାମଡ଼ାର ଗୋଟିପୋକର ସୂତାରୁ ପ୍ରସ୍ତୁତ ଲୁଗା ଓଡ଼ିଆ ରମଣୀର ଶ୍ରେଷ୍ଠ ଭୂଷଣ ଥିଲା । ଚିନା–ସିନ୍ଦୁର ବଦଳରେ କୁଙ୍କୁମାଦି ଦେଶୀ ମସଲା ପ୍ରସ୍ତୁତ ପଦାର୍ଥ ହିଁ ନାରୀମାନେ ମୁଣ୍ଡରେ ଘେନିଲେ ।

 

ବଢ଼େଇ, କମାର, ତନ୍ତୀଙ୍କର ପେଟଜ୍ଵାଳା ଲିଭିଲା । ଆଖିରୁ ଚିନି ତିଆରି କରି କିପରି ଲାଭବାନ ହେବେ, ତାହା ଶିଖିବା ସକାଶେ ଓଡ଼ିଆ ପୁଅମାନେ ଆମେରିକା ପର୍ଯ୍ୟନ୍ତ ଗଲେ । ଉତ୍କୃଷ୍ଟ ଲୌହ ଓ କାଚ କାରଖାନା କିପରି କରି ପାରିବେ, ଇଂଲଣ୍ଡକୁ ଯାଇ ଯୁବକମାନେ ତାହା ଶିକ୍ଷା କଲେ ।

Image

 

(୫)

ଦ୍ୱାରିକାନାଥ

 

ସ୍ୱାମୀ ସଦାନନ୍ଦ ନିଜର ଆରବ୍ଧ କାର୍ଯ୍ୟକୁ ସାଫଲ୍ୟ ମଣ୍ଡିତ କରିବା ସକାଶେ ଉପଯୁକ୍ତ ଲୋକହିଁ ବାଛି ନେଉଥିଲେ । କିନ୍ତୁ ତାଙ୍କର ପ୍ରଧାନ ଭାବନା ହେଲା, ତାଙ୍କ ଅନ୍ତେ ତାଙ୍କ ଆସନର ଅଧିକାରୀ କିଏ ହେବ ? ସମଗ୍ର ଓଡ଼ିଶାକୁ ଅନ୍ତର୍ଦୃଷ୍ଟିରେ ଅନାଇଁ ଦେଖିଲେ ଏକମାତ୍ର ଦ୍ୱାରିକାନାଥ ହିଁ ତାଙ୍କର ଅଭୀପ୍ଲିତ ନେତାର ସମୁଦାୟ ସଦ୍‍ଗୁଣରେ ଭୂଷିତ । କିନ୍ତୁ ଦ୍ୱାରିକାନାଥ ସେତେବେଳେ ‘‘ଭାରତ ସେବକ ସମିତି”ର କୌଣସି ଅଧିବେଶନରେ ଯୋଗ ଦେବାପାଇଁ ପୁନାକୁ ଯାଇ, ପଣ୍ଡିତ ରମାବାଈଙ୍କ ଆଶ୍ରମ ସନ୍ନିହିତ ସ୍ଥାନରେ ବାସ କରୁଥିଲେ ।

ଦ୍ୱାରିକାନାଥ ଥିଲେ ମହାତ୍ୟାଗୀ । ନବୀନ ବୟସରେ ବ୍ରହ୍ମଚର୍ଯ୍ୟ ଗ୍ରହଣ କରି ଓଡ଼ିଶାର ଅନ୍ତ୍ୟଜ ଜାତିର ଉନ୍ନତି ସକାଶେ ମନଃ ପ୍ରାଣ ଢାଳି ଦେଇଥିଲେ । ତାଙ୍କର ସ୍ତ୍ରୀ ଥିଲା, ପୁତ୍ର ଥିଲା । ସେ ସେମାନଙ୍କୁ ତ୍ୟାଗ କରି ନ ଥିଲେ; ଭଣ୍ଡ ତପସ୍ୱୀ ସାଜି, ଭସ୍ମମାଳା ତିଳକର ଆଶ୍ରୟ ନେଇ ନ ଥିଲେ । ସେ ଥିଲେ ନୀରବ ସାଧକ । ଦେଶର ଦଶର ଯହିଁରେ ଭଲ ହେବ, ତାହାହିଁ ତାଙ୍କର ସାଧନାର ବିଷୟ ଥିଲା । ଯେଉଁ ଯେଉଁ ଅସ୍ପୃଶ୍ୟ ଜାତିଙ୍କୁ ଭାରତୀୟ ଉଚ୍ଚଶ୍ରେଣୀର ହିନ୍ଦୁ ଘୃଣାରେ ବହୁଦୂରେ ରଖିଥିଲେ, ସେ ଥିଲେ ତାଙ୍କରି ଭାଇ, ବନ୍ଧୁ, ଆତ୍ମୀୟ । ତାଙ୍କର ସଂସ୍କାର ସକାଶେ ନିଜର ସର୍ବାର୍ଥ ମନଃ ପ୍ରାଣ ଢାଳି ଦେଇଥିଲେ । ଗ୍ରାସାଚ୍ଛାଦନର ଉପାୟ ସକାଶେ ତାଙ୍କର ଚିନ୍ତା ନ ଥିଲା । ତାଙ୍କର ଅସାଧାରଣ ଗୁଣବତୀ ପତ୍ନୀ ଇନ୍ଦିରା ଦେବୀ ତାଙ୍କର କର୍ମଶକ୍ତିର ଗୋପନ ଉତ୍ସ ଥିଲେ । ଇନ୍ଦିରା ଦେବୀ ବେଶି ଲେଖା ପଢ଼ା ଶିଖି ନ ଥିଲେ । କିନ୍ତୁ ବୁଦ୍ଧିମତ୍ତାରେ ତାଙ୍କର ସମକକ୍ଷ ପୁରୁଷ ମିଳିବାର ଦୁର୍ଲ୍ଲଭ ।

ଦ୍ୱାରିକାନାଥ ଦେଶର ହିତ ଚିନ୍ତାରେ ସମାଜ ସଂସ୍କାରରେ ଦେଶ ବିଦେଶ ପର୍ଯ୍ୟଟନ କରୁଥିଲେ, ଆଉ ତାଙ୍କର ପତ୍ନୀ ଘରେ ବସି ବୁଝୁଥିଲେ ମହାଜନୀ । ତୈଳ ବ୍ୟବସାୟ ଥିଲା ତାଙ୍କର ଜାତୀୟ ବ୍ୟବସାୟ । ତାହା ଛଡ଼ା ଧାନ ଚାଉଳ ମହାଜନୀ ଅନେକ ଥିଲା । କଟକ ବଜାରର ବିଭିନ୍ନାଞ୍ଚଳରେ ଚାରିଗୋଟି ମୁଦି ଦୋକାନ ମଧ୍ୟ ଥିଲା । ଉପଯୁକ୍ତ କର୍ମଚାରୀମାନଙ୍କୁ ରଖି କାର୍ଯ୍ୟ ଚଳାଉଥିଲେ । ସ୍ୱୟଂ ଇନ୍ଦିରା ସବୁ ଖାତାପତ୍ର ନିଜେ ଦେଖୁଥିଲେ । ଅଧଲାଟିଏ ଏଆଡ଼େ ସେଆଡ଼େ କରିବା କାହାରି ସାଧ୍ୟ ନ ଥିଲା । କଥାରେ କଥାରେ ଇନ୍ଦିରା କହୁଥିଲେ ‘‘ସାହୁ ଝିଅକୁ ଠକିବ ଏପରି ପୁଅ କିଏ ଅଛି ।”

ତାଙ୍କର ତୀକ୍ଷ୍‍ଣ ବ୍ୟବସାୟ ବୁଦ୍ଧି ସହିତ, ଦୟାମାୟା ସ୍ନେହ ମମତା ଯେପରି ମଣିକାଞ୍ଚନ ସଂଯୋଗ ପରି ଥିଲା । ତାଙ୍କର ନିଜ ଅର୍ଥରେ ପ୍ରତିଷ୍ଠିତ ‘‘ଅମ୍ବିକା ଆଶ୍ରମ”ରେ ଶତ ଶତ ଅନାଥର ନିତ୍ୟ ଗ୍ରାସାଚ୍ଛାଦନର ବ୍ୟବସ୍ଥା ହେଉଥିଲା । ଦ୍ୱାରିକାନାଥଙ୍କ ଉଦଯୋଗରେ ଓଡ଼ିଶାର ବିଭିନ୍ନାଞ୍ଚଳରେ କୋଡ଼ିଏ ଗୋଟି ଅନ୍ତ୍ୟଜ ଜାତିର ବିଦ୍ୟାଳୟ ସ୍ଥାପିତ ହେଲା । ଦାନସ୍ୱରୂପ ଯେ ଯାହା ଦେଉଥିଲେ ତାହା ଛଡ଼ା କାହାରି ପଇସାଟିଏ ସେଥିରେ ପଶୁ ନ ଥିଲା ।

ଦ୍ୱାରିକାନାଥଙ୍କ ଅକ୍ଳାନ୍ତ ଉଦଯୋଗ ଫଳରେ ପାଣ, କଣ୍ଡରା, ହାଡ଼ି, ଡମ ଓ ମୋଚିମାନଙ୍କ ମଧ୍ୟରେ ଗ୍ରାମ୍ୟ ପଞ୍ଚାୟତ ସବୁ ସ୍ଥାପିତ ହେଲା । ସେଥିରେ ଉପଯୁକ୍ତ ଲୋକେ ସଭ୍ୟ ଶ୍ରେଣୀଭୁକ୍ତ ହୋଇ ତାଙ୍କରି ଜାତିର ହିତାର୍ଥେ ଦଶ ପଇସା ଏକାଠି କରିଥିଲେ, ମଦ ଓ ଗୋମାଂସ ତ୍ୟାଗର ପ୍ରତିଜ୍ଞା କରୁଥିଲେ । ଦ୍ୱାରିକାନାଥ ଥିଲେ ତାଙ୍କର ଗୁରୁ । ଆଜି ବାଲେଶ୍ୱର ସହର ହୁଲସ୍ତୁଲ । ଯେଉଁଆଡ଼େ ଯାଅ, କେବଳ ଗୋଟିଏ ଆଲୋଚନା, କେବଳ ଗୋଟିଏ କଥା । ଅର୍ଥାତ୍‍ ‘‘ହିନ୍ଦୁଙ୍କର ଜାତିକୁଳ ଗଲା । ହିନ୍ଦୁଜାତି ରସାତଳକୁ ଗଲେ, କାରଣ ଆଜିକି ମାସାବଧି ଦ୍ୱାରିକାନାଥ, ସଦାନନ୍ଦ ଓ ଚନ୍ଦ୍ରୋଦୟ ଆସି, ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଅଞ୍ଚଳମାନଙ୍କରେ ବୁଲି, ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ହିନ୍ଦୁଙ୍କୁ ଏକ ହେବାକୁ ଉପଦେଶ ଦେଉଅଛନ୍ତି । ଅସ୍ପୃଶ୍ୟ ଦୋଷକୁ ଭାରତ ବକ୍ଷରୁ ଚିରବିଦାୟ ଦେବାକୁ ବ୍ରାହ୍ମଣ କରଣଙ୍କ ଘରେ ଘରେ ପ୍ରଚାର କରୁଛନ୍ତି । କୀର୍ତ୍ତନ କରି କରି ହାଡ଼ି ପିଲାମାନେ ପାଣପିଲାମାନେ ଗାଁ ଦାଣ୍ଡେ ଦାଣ୍ଡେ ଦ୍ୱାରିକାନାଥଙ୍କ ରଚିତ ଜାତୀୟ ସଙ୍ଗୀତାବଳୀ ଗାଇ ବୁଲୁଛନ୍ତି । ତାଙ୍କର ଉତ୍ତେଜନାରେ ଅନେକ ସଦବଂଶୀୟ ଯୁବକ ଦ୍ୱାରିକାନାଥଙ୍କ ଦୀକ୍ଷାଗ୍ରହଣ କରି ସାରିଲେଣି । ଧର୍ମଶାଳାରେ ବସି ପାଖେ ପାଖେ ବିଭନ୍ନ ଜାତିର ଲୋକେ ଏକ ପଙ୍ଗତରେ ଆହାର କଲେଣି । ଆଉ କି ଜାତି ରହେ ? ‘‘ଧର୍ମ ଗଲା, ଗଲା” ଚିତ୍କାର କରି ବାଲେଶ୍ୱରର ରକ୍ଷଣଶୀଳ ହିନ୍ଦୁଦଳ ଚେଇଁ ଉଠିଲେ । ସାମାନ୍ୟ କୁଣ୍ଡିଆଟି ଶେଷକୁ ଏଡ଼େ ବିଷିରିପି ହୋଇ ଦେହ ଯାକ ମାତିବ ବୋଲି କେହି ଭାବି ନ ଥିଲେ । କେଉଁ ଆଡ଼ିକାର ଗୋଟାଏ ଭଣ୍ଡ ବାବାଜି, ହରିବୋଲିଆ ଦ୍ୱାରିକାନାଥ, ଆଉ କାଲି ସକାଳର ଟୋକା ଚନ୍ଦ୍ରୋଦୟ ଯେ ଶେଷକୁ ବାଲେଶ୍ୱର ଜିଲ୍ଲାଟାଯାକ ଲଣ୍ଡ ଭଣ୍ଡ କରିବେ ଏହା ସତପଥୀ, ମିଶ୍ର, ଷଡ଼ଙ୍ଗୀ, ଚତୁର୍ବେଦୀ, ପଟ୍ଟନାଏକ, ରାଉତରାୟ, ପୃଷ୍ଟି ସାହୁ ଇତ୍ୟାଦି କେହି ଭାବି ନ ଥିଲେ । ତାଙ୍କରି ଅବିମୃଷ୍ୟକାରିତା ଫଳରେ ତ ଏମାନେ ମାତି ଉଠିଲେଣି । ଏହାଙ୍କୁ ନ ଦାବିଲେ ନ ଚଳେ । ଦଶ ପଚିଶ ଟୋକା ଜାତିକୁଳ ଛାଡ଼ି ଯଦିବା ହାଡ଼ି, ପାଣ, ପଠାଣଙ୍କ ସାଙ୍ଗେ ବସି ଏକା ପଙ୍ଗତରେ ଖାଇଲେ, ତାଙ୍କୁ, ତାଙ୍କ ବାପା ଦାଦି ଆଦି କରି ସମଗ୍ର ପରିବାରଙ୍କୁ ଜାତିରୁ ଅଟକ କରି ପକାଇଲେ, ମିଶ୍ର ଷଡ଼ଙ୍ଗୀଙ୍କର ତ କର୍ତ୍ତବ୍ୟ ଶେଷ । କିନ୍ତୁ ଯେତେବେଳେ ଛୋଟ ଜାତିଙ୍କ ମୁହଁରେ ବଡ଼କଥା ଶୁଭିଲା, ମାଧିହାଡ଼ିଆଣୀ ଚାରିଅଣା ମୂଲରେ ମାସଯାକ ବାରି ଖଟିବାକୁ ଅସ୍ଵୀକାର କଲା, ବାଉରି ଲକ୍ଷିଆ ଓ ଭଗୀ ଭୋଇ ବାବୁଭୟାଙ୍କୁ ପାଲିଙ୍କିରେ ବୋହିବାକୁ ନାରାଜ ହେଲେ, ପାଣ ଆପଣାଙ୍କୁ ବଡ଼ ମଣିଲେ, ସେତେବେଳେ ତାଙ୍କ ନିଦ ଭାଙ୍ଗିଲା । କିରେ ବାବା ! ଆମ ଖିଦମତ୍‍ଗାରୀ କିଏ ଆଉ ଉଠେଇବ ? ଆମେ ଊଣା ମୂଲରେ ଆମ ବିଲ ବାଡ଼ି କିଏ ଦେଖିବ ? ସର୍ବଘୋଟ ଦ୍ୱାରିକାନାଥ ତ ଆମକୁ ଛୋଟ ଜାତିର ଦୁଆରୀ କଲାଣି । ଆଉ କର୍ଣ୍ଣରେ ତୈଳ ପ୍ରଦାନ ପୂର୍ବକ ଶୟନର ବ୍ୟବସ୍ଥା ଭଲ ଦିଶିଲା ନାହିଁ ।

ତହୁଁ ଚତୁଷ୍ପାଠୀ ଉଠିଲେ, ରଥେ ଲାଗି ପଡ଼ିଲେ, ପଟ୍ଟନାୟକେ ଅଣ୍ଟା ଭିଡ଼ିଲେ । ବାଲେଶ୍ୱର ହିତୈଷିଣୀରେ ବଡ଼ ବଡ଼ ଅକ୍ଷରରେ ବାହାରିଲା ।

‘‘ଶୁଖୁଆ ଖିଆ ବିରାଡ଼ି ବଇଷ୍ଣବଙ୍କ ଚାଟ-

ତେଲି ତାମ୍ବିଳି ତୁଳାଭିଣାଙ୍କ ନାଟ ।”

 

ଉପରୋକ୍ତ ଏବଂ ବିଧ କବିତା ତଳେ ଜଣେ ଶ୍ରୀ ବିଷ୍ଣୁ ଗୁପ୍ତ ନାମଧେୟ ଲେଖକ ସ୍ୱାମୀ ସଦାନନ୍ଦ ଏବଂ ଦ୍ୱାରିକାନାଥଙ୍କର ନିନ୍ଦା କରି ଶେଷକୁ ‘‘କଲେଜ ଛଡ଼ାଙ୍କ କାଣ୍ଡ” ନାମରେ ଗୋଟିଏ କ୍ଷୁଦ୍ର ପ୍ରବନ୍ଧରେ ଚନ୍ଦ୍ରୋଦୟଙ୍କୁ ନାନାଦି ଗାଳି ଦେଇଥିଲେ ।

 

ସେଦିନ ନଗରରେ ଶ୍ରୀ ଶ୍ରୀ ପଣ୍ଡିତ ମହାମହୋପାଧ୍ୟାୟ ଲମ୍ବୋଦର ମିଶ୍ର କାବ୍ୟକଣ୍ଠ ବିଦ୍ୟାଚୁଞ୍ଚୁଙ୍କ ଅଧିନାୟକତ୍ଵରେ ରକ୍ଷଣଶୀଳ ଦଳଙ୍କର ଏକ ବିରାଟ ସଭାର ଆୟୋଜନ ହେଲା । ସଭାର ଉଦ୍ଦେଶ୍ୟ, ହିନ୍ଦୁ ଧର୍ମ ସମ୍ମତ ଶାସ୍ତ୍ରୀୟ ଆଚାର ବିଚାର, ଜାତିଭେଦ, ଶୌଚବିଧି ଇତ୍ୟାଦି ନିଷ୍କଳଙ୍କରୂପେ ଉଦାର ନୈତିକଦଳର କାର୍ଯ୍ୟରେ ବାଧା ପ୍ରଦାନ ।

 

ସଭା ମଣ୍ଡପରେ ଯେତେବେଳେ ମହାମହୋପାଧ୍ୟାୟ ବିଦ୍ୟାଚୁଞ୍ଚୁ ଓଜସ୍ୱିନୀ ଭାଷାରେ ତାଙ୍କର ଶତସଂସ୍କୃତ ଶ୍ଳୋକ ବିମଣ୍ଡିତ ଅଭିଭାଷଣ ପାଠ ପୂର୍ବକ ଭାରତୀୟଙ୍କୁ ପୂର୍ବପୁରୁଷ ସ୍ଥାପିତ, ମନୁ ପ୍ରତିପାଦିତ, ଆଚାର ବ୍ୟବହାର ଓ ଜାତୀୟତ୍ୱ ପ୍ରତିଷ୍ଠାର ଗୌରବ ହୃଦୟଙ୍ଗମ କରାଉଥିଲେ ସେତିକିବେଳେ ସେହି ଦାଣ୍ଡରେ ହାଡ଼ି ଓ ପାଣ ପିଲାମାନେ ଶ୍ରେଣୀବଦ୍ଧ ହୋଇ ସଦାନନ୍ଦ ଓ ଦ୍ୱାରିକାନାଥଙ୍କ ପଛେ ପଛେ ଗାନ କରୁ କରୁ ଗଲେ—

 

ଭାରତ ! ଭାରତ ! କିମ୍ପା ହୋଇଲୁ ହୀନ ।

ଛଅକୋଟି ମାନବଙ୍କୁ କରିଲୁ ହୀନ । ଧ୍ରୁ ।

 

ଛଅକୋଟି ନରନାରୀ ପଶୁଠୁଁ ହୀନ ବିଚାରି

ବକ୍ଷେ ଶାସ୍ତ୍ର-ଛୁରି ମାରି

(ମାଗୋ) ହେଲୁ ତୁ କ୍ଷୀଣ ।୧।

 

ଦିନେ ମନେ ନ ସୁମରି ପୂରୁବ ଗୌରବ ଶିରୀ

ବୃଥା ଅହଂକାରେ ପୂରି

(ତୋର) ଶରୀର ଶୀର୍ଣ୍ଣ ।୨।

 

ଶୋଭା ସରିଲା ତୋ ଦେହୁଁ ତେଜିଲୁ ସନ୍ତାନ ସ୍ନେହୁଁ

ନିଜ ସୁତେ ଅକାତରେ

ତୁ କି କଠିନ ।୩।

 

ଘେନ ମାଁ ଘେନ ମାଁ ଆଜି, ଭେଦ ଭାବ ଦୂରେ ତେଜି

କୋମଳ କୋଳେ ତୋହରି

ନ କର ଭିନ୍ନ ।୪।

 

ଅନେକ ଲୋକଙ୍କ କାନ ସେଆଡ଼େ ଗଲା । କାବ୍ୟକଣ୍ଠଙ୍କ କୋକିଳ କଣ୍ଠ ନିସୃତ ଲଳିତା ପଦାବଳୀ ଅପେକ୍ଷା ହାଡ଼ି ଓ ପାଣ ପିଲାଙ୍କର ଗୀତ ଶୁଣିବାକୁ ଅନେକେ ବାହାରି ପଡ଼ିଲେ । ଆହା କି ସୁନ୍ଦର ଦୃଶ୍ୟ ! ସମ୍ମୁଖରେ ଗୈରିକ ବସ୍ତ୍ରଧାରୀ ଶ୍ୱେତ ଶ୍ମଶ୍ରୁଶୋଭିତ ବିଶାଳକାୟ ମହାଋଷି ସ୍ୱାମୀ ସଦାନନ୍ଦ, ପଶ୍ଚାଦ୍ଦେଶରେ ଶ୍ରେଣୀବଦ୍ଧ ଗୈରିକ ବସ୍ତ୍ରଧାରୀ ପୁଷ୍ପମାଲ୍ୟ ଶୋଭିତ ଶତାଧିକ ଅନ୍ତ୍ୟଜଜାତୀୟ ବାଳକ ବାଳିକା ! ସର୍ବଶେଷରେ ଦ୍ୱାରିକାନାଥ ଓ ଚନ୍ଦ୍ରୋଦୟ । ସମସ୍ତେ ଏକ ସ୍ଵର୍ଗୀୟ ଭାବରେ ଅନୁପ୍ରାଣିତ । ଚନ୍ଦ୍ରୋଦୟ ଏବଂ ଦ୍ୱାରିକାନାଥଙ୍କ ଚକ୍ଷୁରୁ ଅଶ୍ରୁଧାରା ବହୁଥିଲା । ସଭାମଣ୍ଡପର କିଛି ଦୂରରେ ମୁକ୍ତସ୍ଥାନରେ ଠିଆ ହୋଇ ଦୁଇ ବାହୁ ସ୍ୱର୍ଗକୁ ତୋଳି ଗଭୀର ସ୍ୱରରେ ସଂସ୍କୃତରେ ଭଗବାନଙ୍କ ସ୍ତବ କରୁ କରୁ ଭାରତର ଦୈନ୍ୟ, ଭାରତ ଅଜ୍ଞାନ କୁସଂସ୍କାର, ଜାତିଭେଦ ଇତ୍ୟାଦି ଦୂରୀକରଣାର୍ଥେ ତାଙ୍କର ଶ୍ରୀଚରଣରେ ପ୍ରାର୍ଥନା କରି ଅଲେଖ ନିରଞ୍ଜନଙ୍କର ନାମୋଚ୍ଚାରଣ ପୂର୍ବକ ସ୍ୱାମୀ ସଦାନନ୍ଦ ଗୋଟିଏ ମହାପ୍ରାଣସ୍ପର୍ଶୀ ବକ୍ତୃତା ଦେଲେ । ତାଙ୍କର ବିଶାଳ ଜ୍ଞାନ, ଅତୁଳ ଦେଶ ପ୍ରେମରେ ମୁଗ୍ଧ ହୋଇ ଶତ ଶତ ମନୁଷ୍ୟ ତାଙ୍କର ଶ୍ରୀଚରଣ ତଳେ ଏକତ୍ରିତ ହେଲେ । ସମସ୍ତଙ୍କ ହୃଦୟରେ ଦେଶ-ପ୍ରେମ ବହ୍ନି ଜଳି ଉଠିଲା । ଏକତା ମହାମନ୍ତ୍ରରେ ଦୀକ୍ଷିତ ହେବାକୁ ଅନେକର ପ୍ରାଣ କାନ୍ଦିଲା ।

 

ବକ୍ତୃତା ଶେଷରେ ପୁନର୍ବାର ପିଲାମାନେ ଗାନ କଲେ—

 

ଭାରତ ! ଭାରତ ! କିମ୍ପା ହୋଇଲୁ ଦୀନ ।

ଛଅ କୋଟି ମାନବକୁ କରିଲୁ ହୀନ ।

Image

 

(୬)

ଅନାଥା

 

ଅଚ୍ୟୁତ ମିଶ୍ରଙ୍କର ମୃତ୍ୟୁ ହୋଇଛି । ପାପର ଫଳ ଭୋଗ କରି ଦାରୁଣ ପକ୍ଷାଘାତରେ ବର୍ଷେ ଶଯ୍ୟାଶାୟୀ ହୋଇ ମାନବର ଜ୍ଞାନ ସୀମାତୀତ ପ୍ରଦେଶକୁ ପ୍ରସ୍ଥାନ କରିଛନ୍ତି । ଆଉ ସଙ୍ଗେ ସଙ୍ଗେ କରି ଯାଇଛନ୍ତି ଲକ୍ଷ୍ମୀକୁ ଏକାନ୍ତ ଅନାଥା ।

 

ବାହାର ଲୋକଙ୍କ ଦୃଷ୍ଟିରେ ଲକ୍ଷ୍ମୀ ଅନାଥାପରି ଦିଶୁ ନଥିଲା । କାରଣ ଲକ୍ଷ୍ମୀର ତିନିଜଣ ବିମାତା ବର୍ତ୍ତମାନ, ସମ୍ପର୍କୀୟ ଭ୍ରାତା, ଭଗିନୀ, ଭାତୃଜାୟା, ମାଇଁ, ମାଉସୀ, ଖୁଡ଼ି, ଜେଠେଇ ହୋଇ ଶତାଧିକ କୁଟୁମ୍ବ । ପିତାର ବିପୁଳ ସମ୍ପତ୍ତି । କିନ୍ତୁ ସବୁ ଥାଇ ନଥିଲା ଗୋଟିଏ କଥା, ଅର୍ଥାତ୍‍ ଏଡ଼େ ବଡ ପରିବାରରେ ଲକ୍ଷ୍ମୀ ପ୍ରତି କାହାରି ପ୍ରକୃତ ମମତା ।

 

ରୂପ ଯୌବନ, ଧନ ଶ୍ରୀସମ୍ପନ୍ନା ଷୋଡ଼ଶ ବର୍ଷୀୟା ଯୁବତୀ ପ୍ରତି ପରିବାରର ନାରୀ ବର୍ଗର ଥିଲା ହିଂସା, ଆଉ ଯୁବକବର୍ଗର ଆସକ୍ତି: ଯାହାର ଏତଦୁଭୟ କାରଣ ନଥିଲା ସେ ଥିଲା ଲକ୍ଷ୍ମୀର ଧନର ଗ୍ରାହକ । କିନ୍ତୁ ଲକ୍ଷ୍ମୀର ଉପାୟାନ୍ତର ନାହିଁ । କାରଣ ପରିବାରରେ ଗୋଟିଏ ମୁରବି ନଥିଲେ । ଅଯଥା କର୍ତ୍ତୃତ୍ୱକାରୀ ଅନ୍ନଦାସର ସଂଖ୍ୟା ଉଣା ନଥିଲା । ସେହିମାନଙ୍କର ଉପଦ୍ରବରେ ପରିବାରରେ ସୁଖ ଶାନ୍ତି ଏକାବେଳେ ନଷ୍ଟ ହୋଇ ଯାଇଥିଲା ।

 

ବୋଲିବା ବାହୁଲ୍ୟ, ଲକ୍ଷ୍ମୀର ବିମାତା ରେବତୀ ଆଉ ଶରଧା, ଯୁବତୀ । ରେବତୀର ବୟସ ମୋଟେ ପଚିଶି ବର୍ଷ ଆଉ ଶରଧାର ବୟସ କୋଡ଼ିଏ ମାତ୍ର । ମିଶ୍ରଙ୍କ ପ୍ରଥମା ପତ୍ନୀ ଇନ୍ଦୁଙ୍କ ବୟସ ତୁଳନାରେ ଏମାନଙ୍କୁ ମାଁ ଝିଅ ସମାନ କହିଲେ ଅତ୍ୟୁକ୍ତି ହେବ ନାହିଁ । ଲକ୍ଷ୍ମୀର ସମବୟସ୍କା ବିମାତୃଦ୍ଵୟ ବିଧବା ହେଲେହେଁ କେବଳ ନାମତଃ ବିଧବା ଥିଲେ । ଏ ସକାଶୁ ଇନ୍ଦୁ ଓ ତାଙ୍କର ସଉତୁଣୀମାନଙ୍କର ଭୀଷଣ ମନୋମାଳିନ୍ୟ ହେଲା, ଧରି ବସିଲେ ସେମାନଙ୍କର କିଛି ଦୋଷ ହିଁ ନ ଥିଲା । କନ୍ୟାଦାୟରେ ପଡ଼ି ଧନ ଲୋଭରେ ପିତୃବର୍ଗ ଧନୀ ବୁଢ଼ା ବର ହାତରେ ଦେଇଥିଲେ । ମିଶ୍ର ମଧ୍ୟ ସାମୟିକ ରୂପ ଲାଳସା ତୃପ୍ତି ସକାଶେ ବିବାହ କରିଥିଲେ । ଫଳ ସ୍ୱରୂପ କନ୍ୟାମାନେ ସ୍ୱାମୀ ସୁଖଲାଭରୁ ବଞ୍ଚିତ ହେଲେ । ବସ୍ତ୍ରାଳଙ୍କାରାଦି ଭୋଗରେ ଏକ ପ୍ରକାର ଦିନ କଟୁଥିଲା । କିନ୍ତୁ ଅକାଳ ବୈଧବ୍ୟରେ ସର୍ବସ୍ଵ ହରାଇ ସେମାନେ ଯଦି ସମାଜର ଆଚାର ବିଚାର ବଜାୟ ରଖି ମନୋମତ ପଥରେ ଗମନ କରନ୍ତି ସେଥିରେ ତାଙ୍କର ଦୋଷ ବା କଣ ?

 

ଦୋଷ ତାଙ୍କର ଥାଇ ପାରେ; ନ ଥାଇ ପାରେ । କିନ୍ତୁ ଏମାନଙ୍କର ଆଦର୍ଶ—ନିତ୍ୟ ନୟନ ଗୋଚର କରି ଲକ୍ଷ୍ମୀ ଚରିତ୍ରରେ ସଂଯମ, ବ୍ରହ୍ମଚର୍ଯ୍ୟାଦି ଗୁଣର ପୂର୍ଣ୍ଣ ବିକାଶ କଷ୍ଟକର ହେଲେ ମଧ୍ୟ ଧର୍ମକୁ ଆଖି ଆଗରେ ରଖି ସେ ଅସତ୍‍ ପଥରେ ପଦାର୍ପଣ କରି ନଥିଲା । ଆଉ ସେଥିପାଇଁ ତାହାର ଜୀବନ ନିତ୍ୟ ସଂଗ୍ରାମର ଲୀଳାସ୍ଥଳୀ ହେଲା । ସେ ଭଲ ରହିବାକୁ ଚେଷ୍ଟା କରୁଛି, କିନ୍ତୁ ସଂସାର ତାକୁ ଭଲ ରଖି ଦେଲେ ତ ହୁଏ । ଜଣେ ଭଲ ରହିବ, ଜୀବନରେ ଶତ ଶତ ପ୍ରଲୋଭନରୁ ଦୃଢ଼ ଆତ୍ମଶକ୍ତିରେ ଆପଣାକୁ ରକ୍ଷା କରିବ ଏହି ସଂସାର କିମ୍ପା ସହିବ ? ଲକ୍ଷ୍ମୀର ଜୀବନରେ ମଧ୍ୟ ତାହାହିଁ ପ୍ରମାଣିତ ହେବାକୁ ଲାଗିଲା ।

 

ଲକ୍ଷ୍ମୀର ସୌନ୍ଦର୍ଯ୍ୟ, ଲକ୍ଷ୍ମୀର ଗୁଣରାଶି ନବଘନର ହୃଦୟ ବିଚଳିତ କଲା । ନବଘନ ଶରଧାର ଭାଇ, ନବଘନର ବୟସ ମୋଟେ ଚବିଶି ବର୍ଷ । ଜୀବନରେ ପାଠ ପଢ଼ିବାର କଷ୍ଟ କଣ ସେ କେବଳ ଦୁଇ ତିନି ମାସ ଅବଧାନ କହ୍ନେଇ ନାହାକର ଚାହାଳିରେ ଜାଣି ଥିଲା । ଦିନେ ପଣକିଆ ଭୁଲ ହେବାରୁ କହ୍ନେଇ ନାହାକର ବେତ୍ରାଘାତରେ ପୃଷ୍ଠଦେଶରେ ଯେଉଁ ରକ୍ତାଙ୍କିତ ଚିହ୍ନ ଦେଖାଦେଇଥିଲା, ଗତ ଅଠର ବର୍ଷରେ ସୁଦ୍ଧା ତାହା ଲିଭି ନାହିଁ । ସେହିଦିନୁ ପାଠ ସହିତ ତାଙ୍କର ଦେଢ଼ଶୁର ଭାଇବୋହୂ ସମ୍ପର୍କ । ବିପୁଳ ସମ୍ପତ୍ତିଶାଳୀ ଭଗୀନିପତି ମିଶ୍ରଙ୍କ ଘରେ ରହି, ଗୁଡ଼ିଉଡ଼ା, ବନଶୀ ଖେଳା, ଆଉ ଯାତ୍ରା ଦେଖିବା, ଗାଉଣା, ବାଜଣାରେ ମାତିବା, ଫିରେଇ କାଟିବା, ଲୁଗା କୁଞ୍ଚେଇ ପିନ୍ଧିବା, ଆଉ ନିଶା ସେବନ ଛଡ଼ା ତାଙ୍କର ଅନ୍ୟ କିଛି କର୍ତ୍ତବ୍ୟ ନଥିଲା । ଗୋଟିଏ ବୋଲି ଭାଇ, ଭଉଣୀ ମଧ୍ୟ ଅତିରିକ୍ତ ଭ୍ରାତୃ ସ୍ନେହର ବଶବର୍ତ୍ତିନୀ ହୋଇ ଭାଇଙ୍କ ଦୋଷଗୁଡ଼ିକୁ ଗୁଣ ତୁଲ୍ୟ ମଣୁଥିଲେ । ସେଥିପାଇଁ ଯେତେବେଳେ ତାଙ୍କର ବିଳାସ ବିଭ୍ରମ ଦୃଷ୍ଟି ଲକ୍ଷ୍ମୀର ନବନୀରଦୋପମ କମନୀୟ କ୍ଲାନ୍ତି ଉପରେ ପଡ଼ିଲା, ଶରଧା ତାହାକୁ ଲକ୍ଷ୍ମୀର ପରମ ସୌଭାଗ୍ୟ ବୋଲି ବିଚାର କଲେ ।

 

ଲକ୍ଷ୍ମୀକୁ ନିର୍ଯ୍ୟାତନ କରିବାପାଇଁ ରେବତୀ ଓ ଇନ୍ଦୁଙ୍କୁ ସଳଖ ବାଟ ମିଳିଲା । ବିମାତାଙ୍କ ବାକ୍ୟବାଣରେ ଏବଂ ନବଘନର ସ୍ତ୍ରୀ କୌଶଲ୍ୟାର ଇର୍ଷା କଳୁଷିତ ବ୍ୟବହାରରେ ଜୀବନ୍ମୃତା ଲକ୍ଷ୍ମୀର ପ୍ରାଣ ପର୍ଯ୍ୟନ୍ତ ଦଗ୍ଧ ହେଲା ।

 

ହୃଦୟରେ ଚିତାନଳ ଜାଳି ଲକ୍ଷ୍ମୀ ବସିଲା ମରିବାକୁ । ଏତେ ଧନ ଥାଇ ସୁଦ୍ଧା ଆଜି ତାହାର ଦୁର୍ଦ୍ଦଶାର ଉପଶମ ପାଇଁ ବୁଦ୍ଧିବାଟ ଦିଶିଲା ନାହିଁ । ନୀରବରେ ଭଗବାନଙ୍କୁ ଡାକି, ନିର୍ଜ୍ଜନରେ ଠାକୁର ଘରେ ଲକ୍ଷ୍ମୀ ଦିନାତିପାତ କରିବାକୁ ମନସ୍ଥ କଲା । କିନ୍ତୁ ନବଘନ ତାହା କରାଇ ଦେଲା ନାହିଁ ।

 

ନବଘନର ଅତ୍ୟାଚାର ବଢ଼ିଲା । ପ୍ରଥମେ ଅନୁନୟ ବିନୟ ପରେ ନିଷ୍ଫଳ ମନୋରଥ ହୋଇ, ଦ୍ଵିତୀୟରେ ଛଳନାର ଆଶ୍ରୟ ଘେନି କାର୍ଯୋଦ୍ଧାର କରି ନପାରି ଶେଷକୁ ବଳ ପ୍ରୟୋଗ ହିଁ ଶ୍ରେୟଃ ବିବେଚନା କଲା ।

 

ନବଘନର ସଂକଳ୍ପ ବୁଝିପାରି ଲକ୍ଷ୍ମୀର ଅନ୍ତରାତ୍ମା ଆତଙ୍କରେ ଶିହରିତ ହେଲା । କୁଳରେ ଥାଇ କଳଙ୍କିନୀ ହେବାପେକ୍ଷା ମରଣ ଶତଗୁଣ ବାଞ୍ଛନୀୟ ଭାବି ଲକ୍ଷ୍ମୀ ତହିଁର ଚେଷ୍ଟା କଲା । କିନ୍ତୁ ବିବେକ ବାରଣ କଲା । ମନ କହିଲା, ପୂର୍ବ ଜନ୍ମରେ ନଜାଣି କି ପାପ କରି ଆଜି ଏ ଦଶା । ପୁଣି କାହା ସକାଶେ ଆତ୍ମହତ୍ୟା କରି ପାପ ଆର୍ଜ୍ଜିବୁ ? ବରଂ ଏ ପାପ–ପୁରୀ ତ୍ୟାଗ କରି ପବିତ୍ର ସନ୍ନ୍ୟାସ ଗ୍ରହଣ ହିଁ ତୋହ ପକ୍ଷେ ପରମାର୍ଥ ।

 

ଲକ୍ଷ୍ମୀ ହୃଦୟର ଆଦେଶ ମାନିଲା । ଦିନେ ଅଲକ୍ଷିତ ଭାବେ ଗୃହତ୍ୟାଗ କରି, ବାଳକ ବେଶରେ ଯେଉଁଆଡ଼କୁ ଦୁଇ ଆଖି ଗଲା ଚାଲିଗଲା । ଆଜି ସେ ସଂସାରରେ ସର୍ବସ୍ଵହୃତା; କିନ୍ତୁ ତାହାର ମନରେ ଥିଲା ଅପାର ବଳ, ଦୃଢ଼ ବିଶ୍ୱାସ ଥିଲା ଈଶ୍ୱରଙ୍କ ଉପରେ, ଆଉ ଏକାନ୍ତ ଆକାଂକ୍ଷା ଥିଲା ନିଜର ସତୀତ୍ଵ ରକ୍ଷା ସେହି ସତୀତ୍ଵର ଗୌରବ ରକ୍ଷାର୍ଥେ ବିଶାଳ ଜଗତରେ ଆଜି ସେ ଏକାକିନୀ ।

Image

 

(୭)

ଜମିଦାର ପରିବାର

 

ଓକିଲାତି କରି କିପରି ପଇସା ରୋଜଗାର କରିବାକୁ ହୁଏ ଏବଂ ସେ ପଇସାର କିପରି ସଦ୍‍ବ୍ୟବହାର କରିବା ଉଚିତ ଏହା ଅଭୟଚନ୍ଦ୍ରଙ୍କୁ ଭଲରୂପେ ଜଣାଥିଲା । ଅଭୟଚନ୍ଦ୍ର ଥିଲେ ବାଲେଶ୍ୱର ଜିଲ୍ଲାର ସର୍ବଶ୍ରେଷ୍ଠ ଓକିଲ, ଜମିଦାର, ତଥା କରଣ କୁଳର ଜଣେ ମାନ୍ୟଗଣ୍ୟ ନେତା । କାହା ସହିତ କିପରି କଥା କହିବାକୁ ହୁଏ, କାହା ମନ କାହିଁରେ ବଶୀଭୂତ ହୁଏ, ଏହା ଅଭୟଚନ୍ଦ୍ରଙ୍କର ପୂର୍ଣ୍ଣମାତ୍ରାରେ ଆୟତ୍ତ ଥିଲା । ସେ ସମୟାନୁକ୍ରମେ, ଶ୍ରୋତୃମଣ୍ଡଳୀର ଯୋଗ୍ୟତାନୁସାରେ, କେତେବେଳେ କାହାର ନିନ୍ଦା, କେତେବେଳେ ବା କାହାର ପ୍ରଂଶସା କରୁଥିଲେ, ତାହା ବୁଝିବା କଠିନ ଥିଲା । ମଧୁ ଅତ୍ୟନ୍ତ ମିଷ୍ଟ ପଦାର୍ଥ ହେଲେହେଁ ଅଭୟଚନ୍ଦ୍ରଙ୍କ ରସନା ନିଃସୃତ ମଧୁପାନ କଲା ପରେ ତାହା ତିକ୍ତ ପଦାର୍ଥ ତୁଲ୍ୟ ବୋଧ ହେଉଥିଲା । କଥାରେ କହନ୍ତି ‘‘ବଚନେ କା ଦରିଦ୍ରତା” । କଥାରେ ମଣିଷଙ୍କୁ ବିକା କିଣା କରିବା ବ୍ୟବସାୟରେ ଅଭୟଚନ୍ଦ୍ର ଅତ୍ୟନ୍ତ ପଟୁ ଥିଲେ ।

 

କି ଦେଶ ସେବା, କି ସାହିତ୍ୟ ସେବା କାହିଁରେ ତାଙ୍କର ତ୍ରୁଟି ନଥିଲା । ସଭାସମିତିରେ ସଭ୍ୟ ଶ୍ରେଣୀଭୁକ୍ତ ହେବା, ସ୍ଥଳ ବିଶେଷରେ ସଭାପତି ବା ବକ୍ତାର ଆସନ ଅଳଙ୍କୃତ କରିବା, ଖବର କାଗଜରେ କଲମେ ଦିକଲମ ଲେଖିଦେବା ହିଁ ତାଙ୍କର ଦେଶ ତଥା ସାହିତ୍ୟ ସେବାର ନିଦର୍ଶନ ସ୍ୱରୂପ ଥିଲା ଏବଂ ତଦ୍ଦ୍ୱାରା ତାଙ୍କର ଊଣା ଯଶଃ ହୋଇ ନଥିଲା ।

 

ଚାନ୍ଦାଖାତାରେ ତାଙ୍କ ନାଁଟି ଆଗ ଉଠୁଥିଲା । ଦେଶର କର୍ମୀବୃନ୍ଦ ତାଙ୍କରି ବୈଠକଖାନା ଅଳଙ୍କୃତ କରୁଥିଲେ, ବୈଦେଶିକ ପଣ୍ୟ ଦ୍ରବ୍ୟ ବର୍ଜ୍ଜନର ନିଦର୍ଶନ ସ୍ୱରୂପ ଲୋକ ଦେଖାଣିଆ ସାଜ ପୋଷକଗୁଡ଼ିକ ଉପରେ ତାଙ୍କର ସ୍ଵଦେଶୀୟତା ପୂର୍ଣ୍ଣମାତ୍ରାରେ ଫୁଟି ପଡ଼ୁଥିଲା ।

 

କିଛି ପାନ ପିକା ଖର୍ଚ୍ଚ ପାଇଁ ରାମା ବାରିକ, ନିଧି ବେହେରା ତାଙ୍କ ସ୍ତବ ସ୍ତୁତି ଦାଣ୍ଡ ହାଟରେ ଗାଉଥିଲେ । ରବିବାର ଦିନ ସ୍ଵହସ୍ତରେ ଦଶ ବାରଜଣ ଭିକାରିଙ୍କୁ ମୁଠିଏ ମୁଠିଏ ମୋଟ ଚାଉଳ ବା ଅଧଲାଏ ପାହୁଲାଏ ଦେଇ ସେ ଜଣେ ଦାନବୀର ଶ୍ରେଣୀ ଭୁକ୍ତ ହୋଇଥିଲେ ।

 

ଚରିତ୍ର ତାଙ୍କର ଅବଶ୍ୟ ନିର୍ମଳ ଥିଲା । କିନ୍ତୁ ତାଙ୍କ ତୁଲ୍ୟ ଗୁଣବନ୍ତ ସ୍ୱାମୀର ସହଧର୍ମ୍ମିଣୀ ହୋଇ ସୁଦ୍ଧା ହେମାଙ୍ଗିନୀ ଉପଯୁକ୍ତା ନ ଥିଲେ । ତାହାର ପ୍ରଧାନ କାରଣ, ଅଭୟଚନ୍ଦ୍ରଙ୍କ ଜୀବନଟି କଟୁଥିଲା ବାହାରେ, କଚେରୀରେ, ବୈଠକଖାନାରେ, ସଭାସମିତିରେ, ଆଉ ହେମାଙ୍ଗିନୀଙ୍କ ଜୀବନ ଆବଦ୍ଧ ଥିଲା ରୁଦ୍ଧ ଅନ୍ତଃପୁର ଚତୁଃସୀମା ମଧ୍ୟରେ । ତାଙ୍କର ଦିଅର ଶ୍ୱଶୁର ନ ଥିଲେ, ଶାଶୁ ବୁଢ଼ୀଟି ଓ ନଣନ୍ଦଟିଏ ମାତ୍ର ଥିଲେ ତାଙ୍କର ସଙ୍ଗିନୀ ।

 

ଅଭୟଙ୍କ ଅଭାବରେ ଶାଶୁ, ବୋହୂ ଓ ଝିଅ ତିନି ଜଣ ଏକତ୍ର ଜୀବନ କାଟୁଥିଲେ ଏକପ୍ରକାର ଚିର ଆଳସ୍ୟରେ । ବିଧବା ନଣନ୍ଦ ରୁକ୍ମିଣୀ, ବୋଉ ହେମାଙ୍ଗିନୀ ଆଉ ଶାଶୁ ଦୁର୍ଗାବତୀଙ୍କ, କାର୍ଯ୍ୟର କୌଣସି ଶୃଙ୍ଖଳା କି ଧାରା କିଛି ହିଁ ନ ଥିଲା । ବଡ଼ ଘରର ସ୍ତ୍ରୀ; ଧନର, ଦାସ ଦାସୀର ଅଭାବ ନାହିଁ, ହେଳାଭାବ ପ୍ରାଣରେ ପୂରିଥିଲା । ଚାକର ଦାସୀଙ୍କ ହାତରେ ଗୃହସ୍ଥଳୀର ଯାବତୀୟ କର୍ତ୍ତବ୍ୟ ନିକ୍ଷେପ କରି କେବଳ ଭାତ ଗଣ୍ଡାକର ମାଲିକ ପରି ବସି ରହି, ଚମ୍ପା ହାତର ଗୋଡ଼ଘସା, କମିହାତର ପିଠି ଆଉଁସା ଶୁଲିହାତର ମୁଣ୍ଡବନ୍ଧା ଏସବୁ ସୁଖ ପୂର୍ଣ୍ଣମାତ୍ରାରେ ଅନୁଭବ କରୁଥିଲେ । ପାନଖିଆ, ପରଚର୍ଚ୍ଚା, ତାସ, କଉଡ଼ି ଖେଳ ଏବଂ ନିଦ୍ରା ତାଙ୍କର ଜୀବନର ଚରମ ସଫଳତା ଥିଲା ।

 

ରୁକ୍ମଣୀଙ୍କର ତ ସନ୍ତାନାଦି ନଥିଲା, ହେମାଙ୍ଗିନୀଙ୍କର ଥିଲା ପୁଅ ଖଣ୍ଡେ ଅର୍ଥାତ୍‍ ଚନ୍ଦ୍ରୋଦୟ । ସେ ମଧ୍ୟ ମଣିଷ ହୋଇଥିଲା ବିଶାଖାବୁଢ଼ୀ ହାତରେ । ତାହାର ପ୍ରାୟ କୌଣସି ଜଞ୍ଜାଳରେ ହେମାଙ୍ଗିନୀ ଘାଣ୍ଟିହୋଇ ନାହାନ୍ତି । ଦୈବକ୍ରମେ କ୍ରମାଗତ ଚାରୋଟି ସନ୍ତାନ ହୋଇ ପରେ ପରେ ମୃତ୍ୟୁମୁଖରେ ପତିତ ହେବାରୁ ହେମାଙ୍ଗିନୀଙ୍କର ସଂସାରରୁ ମନ ଛାଡ଼ିଗଲା ।

 

ଏପରି ପରିବାରରେ ଜନ୍ମଗ୍ରହଣ କରି ସୁଦ୍ଧା ଚନ୍ଦ୍ରୋଦୟର ପ୍ରକୃତି ଅନ୍ୟ ପ୍ରକାର ହେଲା-। ଏକମାତ୍ର ପୁତ୍ରର ଶିକ୍ଷା ପ୍ରତି ଅଭୟଚନ୍ଦ୍ରଙ୍କର ଦୃଷ୍ଟି ପୂର୍ଣ୍ଣଭାବରେ ଥିଲା । ସେ ତାକୁ ଭବିଷ୍ୟତରେ ବାରିଷ୍ଟର କରାଇବା ବାସନା ମନରେ ପୋଷଣ କରି ପ୍ରଥମରୁ ମିଶନ ସ୍କୁଲରେ ପାଠ ପଢ଼ାଇଲେ-। ମିସେନାରୀ ମେମ୍‍ ମିସେସ କିଙ୍ଗ୍‍ଷ୍ଟନ୍‍ ଚନ୍ଦ୍ରୋଦୟର ପ୍ରଥମ ଶିକ୍ଷୟିତ୍ରୀ ନିଯୁକ୍ତ ହୋଇଥିଲେ । ତାଙ୍କରି ଶିକ୍ଷା ଫଳରେ ଚନ୍ଦ୍ରୋଦୟଙ୍କର ସ୍ୱାଧୀନତା ପ୍ରୟାସ ହୃଦୟରେ ପ୍ରଥମେ ବିକଶିତ ହେଲା । ତତ୍‍ପରେ କାଲିକତାରେ ବହୁଦିନ ଅବସ୍ଥାନ ଫଳରେ ଚନ୍ଦ୍ରୋଦୟ ନିଜ ପରିବାରଠାରୁ ସମ୍ପୂର୍ଣ୍ଣ ଭିନ୍ନଧରଣର ବ୍ୟକ୍ତି ହୋଇଗଲେ । ଦିନକୁ ଦିନ ତାଙ୍କ ଚରିତ୍ରରେ ଦେଶପ୍ରୀତି ସମଧିକ ପ୍ରକାଶ ପାଇଲା । ଅଭୟଚନ୍ଦ୍ର ପ୍ରଥମେ ପ୍ରଥମେ ତାହା ଶ୍ରଦ୍ଧା ଚକ୍ଷୁରେ ଦେଖୁଥିଲେ କିନ୍ତୁ ଯେଉଁ ଦିନ ପୁତ୍ର କଲେଜ ଛାଡ଼ି ସ୍ୱାମୀ ସଦାନନ୍ଦଙ୍କ ସଙ୍ଗୀ ହେଲେ, ସେଦିନ ତାଙ୍କର ମସ୍ତକରେ ଦାରୁଣ ବଜ୍ରାଘାତ ହେଲା ।

 

ପୁତ୍ରକୁ ଏପ୍ରକାର ସାଧନାରୁ ବିରତ କରିବା ସକାଶେ ଅନେକ ଅନେକ ଚେଷ୍ଟା କଲେ । କିନ୍ତୁ ଦୃଢ଼ପ୍ରତିଜ୍ଞ ଚନ୍ଦ୍ର ଟଳିଲେ ନାହିଁ । ସ୍ୱାମୀ ସଦାନନ୍ଦ ତାଙ୍କୁ ଏକାବେଳକେ ଘରୁ ଛଡ଼ାଇ ଘେନି ଯାଇ ନ ଥିଲେ । କାର୍ଯ୍ୟ କ୍ଷେତ୍ରରେ ସାମୟିକ ଆହ୍ୱାନ କରୁଥିଲେ ମାତ୍ର । ଅନ୍ୟ ସମୟରେ ଚନ୍ଦ୍ରୋଦୟ ନିଜ ଜମିଦାରୀର ଗ୍ରାମେ ଗ୍ରାମେ ବୁଲି ପଲ୍ଲି ସଂସ୍କାର, ଗ୍ରାମ୍ୟ ପଞ୍ଚାୟତ ସ୍ଥାପନ, ନୀଚ ଜାତିଙ୍କ ଉନ୍ନତି ବିଧାନ, ସାଧାରଣ ଶିକ୍ଷା ଓ ସ୍ୱାସ୍ଥ୍ୟ ନୀତିର ପ୍ରସାରଣ, ସ୍ଵଦେଶୀ ଦ୍ରବ୍ୟର ପ୍ରଚଳନାଦିର ଚେଷ୍ଟାରେ ବ୍ୟାପୃତ ହେଲେ ।

 

ତାଙ୍କ ପ୍ରଚାର ଓ ଉଦ୍ୟମ ଫଳରେ ପ୍ରଜାଗଣ ବିଶେଷ ସୁଖ ସମୃଦ୍ଧି ଲାଭ କଲେ । ସ୍ୱୟଂ ଜମିଦାର ପୁତ୍ର, ତାଙ୍କର ଏତାଦୃଶ୍ୟ ହିତାକାଙ୍‍କ୍ଷୀ ଦେଖି ତାଙ୍କ କାର୍ଯ୍ୟରେ ବାଧା ଦେବା ଦୂରେ ଥାଉ ତାଙ୍କୁ ସମସ୍ତେ ସାହାଯ୍ୟ କଲେ । ଯେ ପର ପାଇଁ ଭାବେ ସେ କଣ ପରର ମନ କିଣି ପାରିବ ନାହିଁ-

 

ଦ୍ୱାରିକାନାଥ ଥିଲେ ଚନ୍ଦ୍ରୋଦୟଙ୍କର ଜ୍ୟେଷ୍ଠଭ୍ରାତା ତୁଲ୍ୟ । ତାଙ୍କ ସହିତ ମିଳିତ ହୋଇ ବିଭିନ୍ନ ସଭା ସମିତିମାନଙ୍କରେ ଯୋଗ ଦେଇ, ସାହିତ୍ୟ କ୍ଷେତ୍ରରେ ନବ ନବ ଚିନ୍ତା ସମନ୍ୱିତ ଉପାଦେୟ ପୁସ୍ତକାବଳୀ ରଚନା କରି ଅଳ୍ପ ଦିନ ମଧ୍ୟରେ ଚନ୍ଦ୍ର ଓଡ଼ିଶାରେ ସ୍ଥାୟୀ ଯଶଃ ଅର୍ଜନ କଲେ । ଦ୍ୱାରିକାନାଥ ପରିଚାଳିତ ‘‘ସମାଜ ବନ୍ଧୁ” ପତ୍ରିକା ତାଙ୍କରି ଲେଖା ବକ୍ଷରେ ଧାରଣ ପାଠକବର୍ଗର ଚିତ୍ତ ବିନୋଦନ କଲା । ଚନ୍ଦ୍ରୋଦୟ ଯେପରି ନିର୍ଭୀକ, ସେହିପରି ସରଳ, ସତ୍ୟବାଦୀ ଓ ଗୁଣଗ୍ରାହୀ ଥିଲେ ।

 

ତଥାପି ତାଙ୍କର ପିତା ତାଙ୍କର ପକ୍ଷପାତୀ ନ ଥିଲେ । କାରଣ ତାଙ୍କ ଆଶା ନିର୍ମୂଳ କରି ସେ କଲେଜ ଛାଡ଼ିଥିଲେ । ଚନ୍ଦ୍ର ପିତାଙ୍କ ମନୋଭାବ ବୁଝି ତାଙ୍କଠାରୁ ଏକ ପ୍ରକାର ଦୂରେ ଦୂରେ ବାସ କରୁଥିଲେ । ଆଉ ଏହା ହିଁ ଥିଲା ତାଙ୍କ ଜୀବନର ପ୍ରଧାନ ଦୁଃଖ ।

Image

 

(୮)

ଅଭାଗିନୀ

 

ଲକ୍ଷ୍ମୀଙ୍କ ପିତୃ-ଗୃହ ସମୀପରେ ରାଧା ନାମ୍ନୀ ଜଣେ ପରମ ବୈଷ୍ଣବୀ ମାତା ବାସ କରୁଥିଲେ । ଭଜନ ପୂଜନ ନାମକୀର୍ତ୍ତନାଦିରେ ତାଙ୍କର ଅସାଧାରଣ ଭକ୍ତି । ଲକ୍ଷ୍ମୀ ଥିଲା ମାତାଙ୍କର ପରମ ସ୍ନେହର ପାତ୍ରୀ । ବିଧବା ହେଲା ଦିନୁ ମାତାଙ୍କ ସହବାସରେ ହିଁ ଲକ୍ଷ୍ମୀର ଦିନାତିପାତ ହେଉଥିଲା । ତାଙ୍କର ଅପୂର୍ବ ଭକ୍ତି ଐକାନ୍ତିକ ସାଧନାରେ ଲକ୍ଷ୍ମୀ ମଧ୍ୟ ବହୁଦିନୁଁ ବୈଷ୍ଣବୀ ହେବାର ବାସନା କରିଥିଲା । କିନ୍ତୁ ପିତାଙ୍କ ଜୀବଦ୍ଦଶାରେ ତହିଁର ସମ୍ଭାବନା ନ ଥିଲା ।

 

ଶେଷକୁ ନବଘନର ଅତ୍ୟାଚାର ସହି ନ ପରି ଲକ୍ଷ୍ମୀ ମାତାଙ୍କ କଥାରେ ସମ୍ମତା ହୋଇ ସନ୍ନ୍ୟାସ ଗ୍ରହଣାର୍ଥେ ଗୃହତ୍ୟାଗ କଲା । ଲକ୍ଷ୍ମୀକୁ ମାତା କହିଥିଲେ ସେ ବୃନ୍ଦାବନ ଧାମରେ ଜୀବନର ଶେଷାଂଶ ଯାପନ କରିବେ । ସଦାଧର୍ମ ପିପାସିନୀ ଲକ୍ଷ୍ମୀର ତାଙ୍କ ସହିତ ଗୃହ ତ୍ୟାଗକରି ସେଥିପାଇଁ ମନରେ ତିଳାର୍ଦ୍ଧ ଅନୁଶୋଚନା ଜାତ ହେଲାନାହିଁ ।

 

ପରମ ରମଣୀୟ ଧାମ ବୃନ୍ଦାବନରେ ଲକ୍ଷ୍ମୀର ପରମାନନ୍ଦରେ ଦିନ କଟିଲା । ମାତାଙ୍କର ଆହୁରି କେତେ ଶିଷ୍ୟାଙ୍କୁ ନିଜର ସଙ୍ଗିନୀରୂପେ ଲାଭକରି ତାହାର ଆନନ୍ଦର ସୀମା ରହିଲା ନାହିଁ । ନିତ୍ୟ ଭଜନ କୀର୍ତ୍ତନ, ଯମୁନାର ପବିତ୍ର ଜଳରେ ସ୍ନାନ କରି ଲକ୍ଷ୍ମୀ ନବ ଜୀବନ ଲାଭ କଲା । ତାହାର ହୃଦୟ ନବ ସୁଖରେ ବିହ୍ଵଳ ହୋଇଗଲା । କିନ୍ତୁ ଏ ସୁଖ ମଧ୍ୟ ସେ ବେଶି ଦିନ ଭୋଗିପାରିଲା ନାହିଁ ।

 

କ୍ରମେ ନିଜର ପ୍ରକୃତ ଅବସ୍ଥା ଜଣା ପଡ଼ିଲା । ଉମା, କାତ୍ୟାୟିନୀ, ଶଙ୍କରୀ, ଭବାନୀ ଯେ କି କୁକ୍ରିୟାରେ ରେ ଲିପ୍ତ, ଏହା ଲକ୍ଷ୍ମୀ ଜାଣିପାରି ଲକ୍ଷ୍ମୀ ଘୃଣାରେ ତାହାର ସର୍ବାଙ୍ଗ ଜଳି ଉଠିଲା-। ସେ ଏପରି ଭଣ୍ଡ ତପସ୍ୱିନୀମାନଙ୍କ ଗୁପ୍ତ ଲୀଳା ମାତାଙ୍କ ସମୀପରେ ନିବେଦନ ହିଁ ଶ୍ରେୟ ବିଚାର କରି ଦିନେ ସନ୍ଧ୍ୟା ସମୟରେ ଏକାକିନୀ ତାଙ୍କର ଅଧିବାସ କୁଟୀରକୁ ଗଲା । ସେତେବେଳେ ମାତା ଜପନିରତ, ଲକ୍ଷ୍ମୀ ଅନେକ ସମୟ ଅପେକ୍ଷା କଲା ।

 

ମାତା ଜପ କରୁଛନ୍ତି, ଶ୍ରୀ କୃଷ୍ଣଙ୍କର ଲଳିତ ନୀଳେନ୍ଦିବର ସୁଷମା ସମ୍ମୁଖ-ସ୍ଥାପିତ ଚିତ୍ରପଟରେ ଦେଦୀପ୍ୟମାନ । ଚିତ୍ରକୁ ଅନାଇ ସେ ଯେପରି ବିଭୋଳା । ଆଖିରୁ ଅଶ୍ରୁ ଦର ଦର ବହୁଛି । ବହୁକ୍ଷଣ ପରେ ଧ୍ୟାନ ଭଗ୍ନ ହେଲାରୁ ଲକ୍ଷ୍ମୀଙ୍କ ଉପରେ ତାଙ୍କର ଦୃଷ୍ଟି ପଡ଼ିଲା । ସେ ଆଦରରେ ତାହାକୁ କୋଳକୁ ଟାଣି ଆଣି ମୁଣ୍ଡରେ ହାତ ବୁଲାଇ ଆସିବାର କାରଣ ପଚାରିଲେ । ଲକ୍ଷ୍ମୀର ପ୍ରଥମେ ବଡ଼ ଭୟ ହେଲା । ପରେ ସାହସ ବାନ୍ଧି ଅଧ ଅଧ ଖଣ୍ଡ କଥାରେ ଯାହା ଦେଖିଥିଲା ସବୁ ଜଣାଇଲା । ମାତା ବିସ୍ମିତା ନ ହୋଇ ବରଂ ଦରହାସ୍ୟ ରଞ୍ଜିତ ଅଧରରେ କହିଲେ, ‘‘ମା, ଏତ ପାପ ନୁହେଁ, ବୃନ୍ଦାବନରେ ପାପ ବା କେଉଁଠାକୁ ଆସିବ ? ଏତ ଶ୍ରୀକୃଷ୍ଣଙ୍କ ଲୀଳାଭୂମି । ଏଠାରେ ପ୍ରତ୍ୟେକ ପୁରୁଷତ ଶ୍ରୀକୃଷ୍ଣଙ୍କ ଅଂଶ ସମ୍ଭୂତ, ଆଉ ପ୍ରତ୍ୟକ ନାରୀ ତ ତାଙ୍କରି ମହାହ୍ଲାଦିନୀ ଶକ୍ତି ଶ୍ରୀମତୀ ଶ୍ରୀରାଧିକାଙ୍କର ଅଂଶଜାତା ।” ମାତାଙ୍କର ଆଉ ଅନ୍ୟାନ୍ୟ ଯୁକ୍ତି ଲକ୍ଷ୍ମୀର କର୍ଣ୍ଣ କୋଟରରେ ସୁଦ୍ଧା ପ୍ରବେଶ କଲା ନାହିଁ । ନିଜର ଅଭାଗ୍ୟ କପାଳ କଥା ଚିନ୍ତା କରି ସେଦିନ ସେ ବହୁତ କାନ୍ଦିଲା । ବିଧାତାଙ୍କୁ ନିନ୍ଦିଲା । ସମାଜକୁ ଭର୍ତ୍ସନା କଲା । କିନ୍ତୁ ବଡ଼ ଭାବନା ହେଲା ତାହାର ନିଜ ସକାଶେ । ଏଥର ସେ କରିବ କଣ ? ଦିନରାତି ଈଶ୍ୱରଙ୍କୁ ଡାକିବା ଭିନ୍ନ ଆଉ ତାହାର ଉପାୟ ନ ଥିଲା |

 

ଯମୁନା କୂଳରେ ଗୋଟିଏ ନିଭୃତ ସ୍ଥାନରେ ବକୁଳ ବୃକ୍ଷଟିଏ ଥିଲା । ଲକ୍ଷ୍ମୀ ସେଦିନ ସନ୍ଧ୍ୟାବେଳେ ତାହାରି ମୂଳରେ ବସି କାନ୍ଦୁଥିଲା, ଆଉ ଥରେ ଥରେ ପବିତ୍ରତୋୟା ଯମୁନାକୁ ଅନାଉ ଥିଲା । ନୀଳ ବୀଚିମାଳା-ଭଗିନୀ, ରଙ୍ଗିନୀ ଯମୁନା ଉଦ୍ଦାମ ନୃତ୍ୟରେ ଯେପରି ଅନନ୍ତ ସ୍ରୋତ ପଥରେ ବହି ଚାଲି ଯାଉଛି, କଳନାଦରେ ଗୀତ ଗାଇ ଯାଉଛି, ମାନବ ଜୀବନର ଅସାରତା ହିଁ ଯେପରି ସେ ଗୀତର ଭାବ । ଲକ୍ଷ୍ମୀ ଆଜି ବୈଷ୍ଣବୀର ଆଶ୍ରମ ତ୍ୟାଗକରି ଆସିଛି, ଆଉ ସେ ସେଠାକୁ ଫେରିଯିବ ନାହିଁ । ସଂସାରରେ ତାହାର ସ୍ଥାନ ଥାଉ ନ ଥାଉ ଆଜି ଏ ନଦୀ ବକ୍ଷରେ ତାହାର ସ୍ଥାନ ହେବ ନିଶ୍ଚୟ ! ଲକ୍ଷ୍ମୀ ଅନେକ ଭାବିଲା, ଅନେକ ଚିନ୍ତିଲା, ହୃଦୟ ଆଜି ତାହାର ଅତ୍ୟନ୍ତ ବ୍ୟାକୁଳ, ଥରେ ଥରେ ଭାବିଲା ମାତା କଥାରେ ସେ ସମ୍ମତା ହୋଇଥିଲେ ତାହାର କ୍ଷତି କ’ଣ ଥିଲା । ସେ କ’ଣ ଯୁବତୀ ରୂପବତୀ ନୁହେଁ ? ମାତା କହିଥିଲା ସେ ଅନାଘ୍ରାତ କୁସୁମ, ଦେବଭୋଗ୍ୟା ! ସନ୍ନ୍ୟାସୀ ତ୍ରିଲୋଚନ ଦେବତୁଲ୍ୟ, ତାଙ୍କ ପଦସେବା ଦ୍ୱାରା ସେ ଶ୍ରେୟଃ ଲାଭ କରନ୍ତା । କିନ୍ତୁ ଲକ୍ଷ୍ମୀର ହୃଦୟ ତ୍ରିଲୋଚନକୁ ଘୃଣା କଲା । କଣ୍ଠୀ ବଦଳରେ ସମ୍ମତା ହେଲା ନାହିଁ । କଣ୍ଠୀ ବଦଳ ପୂର୍ବରୁ ଯମୁନାର ଶୀତଳ ଜଳରେ ନିଜର ଶରୀର ଚିରନିମଜ୍ଜନ ବାଞ୍ଛାରେ ଆଜି ଅଭାଗିନୀ, ଅନାଥିନୀ ଲକ୍ଷ୍ମୀ ବସି ଇତସ୍ତତଃ ଚିନ୍ତା କରୁଥିଲା ।

 

ଆତ୍ମହତ୍ୟା ମହାପାପ ! କିନ୍ତୁ ସତୀତ୍ଵ ବିକ୍ରୟ କି ତହୁଁ ବଳି ପାପ ନୁହେଁ । ଆର୍ଯ୍ୟ ରମଣୀର ହୃଦୟ କି ସତୀତ୍ଵ ବିନିମୟରେ ସୁଖ ସୌଭାଗ୍ୟ ଚାହେଁ ? ନାଁ, ଲକ୍ଷ୍ମୀ କିଛି ଚାହେଁ ନାହିଁ । ଲକ୍ଷ୍ମୀ ଚାହେଁ ଧର୍ମ ! ଧର୍ମ ସକାଶେ ସେ ଗୃହତ୍ୟାଗ କରିଥିଲା । ଗୃହରେ ଥିଲା ନାଗସର୍ପ ନବଘନ; ଆଉ ଏଠାରେ ଭେଟିଲା କାଳୀୟ ଭୂଜଙ୍ଗ ତ୍ରିଲୋଚନ ! ଦାରୁଣ ନୈରାଶ୍ୟରେ ଲକ୍ଷ୍ମୀ ଏଥର ଆତ୍ମହତ୍ୟା ସକାଶେ ଅଗ୍ରସର ହେଲା ।

 

ସେତେବେଳେ ରାତି ଦୁଇଘଡ଼ି; ଆକାଶରେ ଅସଂଖ୍ୟ ତାରା ଫୁଲକୁସୁମ ସଦୃଶ୍ୟ ବିକଶିତ । ବଙ୍କିମ ରଜତ ରେଖାତୁଲ୍ୟ ଇନ୍ଦୁ ନିଜର ସୌନ୍ଦର୍ଯ୍ୟ ପ୍ରକଟିତ କରୁଥିଲା । ଗଛରୁ ବକୁଳ ଫୁଲ ଗୁଡ଼ିଏ ଝଡ଼ି ପଡ଼ୁଥିଲେ । ଲକ୍ଷ୍ମୀ ଥରେ ଈଶ୍ୱରଙ୍କୁ ସ୍ମରଣ କଲା । ଥରେ କୋହରେ ପୂରିଗଲା । ଥରେ ଆକାଶକୁ ଅନାଇଲା । କିନ୍ତୁ ପରକ୍ଷଣରେ ଆଖି ପୋଛି ଡେଇଁ ପଡ଼ିଲା ।

 

ଆଜି ତାହାର ସବୁ ଯନ୍ତ୍ରଣାର ଅବସାନ । ଆତ୍ମବଳିଦାନରେ ଆଜି ସେ ସତୀତ୍ଵ ରକ୍ଷା କଲା । ଯମୁନାର ଘନ, ନୀଳ, ବାରିରାଶି ତାହାର ପବିତ୍ର ଦେହ ବହନ କରି କେଉଁଆଡ଼େ ବହିଗଲା-। ଲକ୍ଷ୍ମୀର ସତୀତ୍ଵ ରକ୍ଷା କରି ଆଜି ଯମୁନା ମାତାର କାର୍ଯ୍ୟ କଲା । ବହିଯାଅ ଯମୁନେ ! ବହିଯାଅ-। ଭାରତ ବକ୍ଷରେ ବହି ଚାଲିଯାଅ । ଭାରତର ଲକ୍ଷ ଲକ୍ଷ ବିଧବାର ଦୁଃଖ ଗାଥା ତୁମ୍ଭର କରୁଣ କଳଧ୍ଵନିରେ ଗାଇ ଯାଅ; ଭାରତ ଶୁଣୁ, ବିଧବାର ଦୁଃଖ ଦୂରୀକରଣାର୍ଥେ ତତ୍ପର ହେଉ-

 

ଯମୁନା ଶୁଣିଲା କି ନାହିଁ କିନ୍ତୁ ବହି ଚାଲିଗଲା । ଭାରତ ସୁତର ନିର୍ମମ ବ୍ୟବହାର କଥା ଭାବି ଯମୁନା କାନ୍ଦି କାନ୍ଦି ବହିଗଲାପରା । ଯମୁନାର କାନ୍ଦିବାର କାରଣ ଥିଲା । ଯେଉଁ ଭାରତରେ ସଧବା ଦମୟନ୍ତୀଙ୍କର ପତି ଅନ୍ତର୍ଦ୍ଧାନରେ ଋତୁପର୍ଣ୍ଣ ସହିତ ପୁନଃ ସ୍ଵୟମ୍ବର ବ୍ୟବସ୍ଥା ଦେଉଥିଲା, ବାଳବିଧବାର ଚିରବୈଧବ୍ୟ ରକ୍ଷା ହେଲା ତାହାର ଚିର ଧର୍ମ । କୁନ୍ତୀ, ସତ୍ୟବତୀ, ପିତୃଗୃହରେ ସନ୍ତାନ ପ୍ରସବ କରି ମଧ୍ୟ ଯେଉଁ ଭାରତ ଭୂମିରେ ତାଙ୍କ ସକାଶେ ସ୍ୱାମୀର ଅଭାବ ଘଟି ନ ଥିଲା, ଗୋଟିଏ କନ୍ୟାକୁ ପାଞ୍ଚବର ଏକତ୍ର ବିବାହ କଲେ ମଧ୍ୟ ନାରୀର ସତୀତ୍ଵ ହାନି ହୋଇ ନ ଥିଲା, ସେ ଦେଶରେ ପୁଣି ବାଳବିଧବାଙ୍କର ଦ୍ଵିତୀୟ ପତି ଗ୍ରହଣରେ ସମାଜ ରସାତଳକୁ ଯିବାର ଆଶଙ୍କା-

 

ସମାଜର କଥା ଭାବି ଯମୁନା କାନ୍ଦୁଥିଲା ପରା । ଆଉ ଭାବୁଥିଲା ପୁରୁଷର ସ୍ୱାର୍ଥପରତା, ପୁରୁଷ ରଚିତ ଶାସ୍ତ୍ରର ଅହମିକା ଏବଂ ନାରୀର ଦୁର୍ଗତି । କାରଣ ଯମୁନାର ହୃଦୟ ଜନନୀର କୋମଳ ଅନ୍ତଃକରଣ ସ୍ନେହରେ ଢଳ ଢଳ, ଛଳ ଛଳ ।

Image

 

(୯)

ଭାରତ ନାରୀ

 

ସଦ୍ୟଜଳୋତ୍ତୋଳିତା ଲକ୍ଷ୍ମୀ ଚେତନା ଲାଭ କରି ଯେତେବେଳେ ଅନାଇଲା, ଦେଖିଲା ତାହାର ମସ୍ତକ ନିକଟରେ ଉପବିଷ୍ଟ ଜଣେ ଋଷିତୁଲ୍ୟ ଦୀର୍ଘକାୟ ବୃଦ୍ଧ; ତାହାଙ୍କ ପ୍ରଶାନ୍ତ ନେତ୍ର ଜ୍ୟୋତିଃରେ ଲକ୍ଷ୍ମୀର ମନେ ହେଲା, ସତେ ଯେପରି ସେ ଦେବଲୋକରେ ଉପସ୍ଥିତ, ଏ ନିଶ୍ଚୟ ତ୍ରିଦିବବାସୀ ଦେବତା ! ତାଙ୍କର ମୁଖକୁ ଚାହିଁ ଚାହିଁ ତାହାର କ୍ଷୀଣ ହୃଦୟ ପୁଣି ସବଳ ହେଲା ।

 

ଆୟୁର୍ବେଦ ଚିକିତ୍ସା ଶାସ୍ତ୍ର ସୁପଣ୍ଡିତ ସ୍ୱାମୀ ସଦାନନ୍ଦଙ୍କ ଉପଯୁକ୍ତ ଶୁଶ୍ରୂଷା ଫଳରେ ଲକ୍ଷ୍ମୀ ନବ ଜୀବନ ଲାଭ କରି ଯେତେବେଳ ଉଠି ବସିଲା, ସେତେବେଳେ ନୌକା ପୂର୍ଣ୍ଣସ୍ରୋତା ନଦୀର ବକ୍ଷ ଭେଦ କରି ତୀର ବେଗରେ ଚାଲୁଥିଲା । ଲକ୍ଷ୍ମୀ ଯେ କିପରି ତାହାର ଅଙ୍କରେ ଆଶ୍ରୟ ଲାଭ କରିଥିଲା ସେ ବୁଝି ନ ପାରି କେବଳ ବିସ୍ମୟ-ବିମୂଢ଼ ଦୃଷ୍ଟିରେ ସଦାନନ୍ଦଙ୍କୁ ଚାହିଁ ରହିଲା । ଲକ୍ଷ୍ମୀର ହଠାତ୍‍ ମନେ ହେଲା ଏ କୌଣସି ଶତ୍ରୁ ନୁହନ୍ତି ତ ? ତାହାର ହୃଦୟ ବଡ଼ ଜୋରେ ଜୋରେ ସ୍ପନ୍ଦିତ ହେଲା । ସେ ପୁଣି ମୂର୍ଚ୍ଛିତା ହେଲା ।

 

ଲକ୍ଷ୍ମୀର ଶୀର୍ଷଦେଶରେ ଆସୀନ ଏ ଯୁବକଟି କିଏ ? ପାଠକ ଏହାଙ୍କୁ କେବେ ଦେଖିଥିଲ କି ? ଏ ତେଜସ୍ୱୀ, ଉନ୍ନତ ଲଲାଟ, ସୌମ୍ୟ ବଦନ, ସ୍ନିଗ୍‍ଧ କାନ୍ତି, କରୁଣ ନେତ୍ର, ଯୁବକ ଆମ୍ଭରି ପୂର୍ବ ପରିଚିତ ଚନ୍ଦ୍ରୋଦୟ, ସ୍ୱାମୀଜୀଙ୍କ ପରମ ସ୍ନେହାସ୍ପଦ ଶିଷ୍ୟ । ସ୍ୱାମୀଜୀଙ୍କ ଔଷଧ ଗୁଣରେ ଲକ୍ଷ୍ମୀ ବର୍ତ୍ତମାନ ନିଦ୍ରିତା, ଆଉ ଚନ୍ଦ୍ରୋଦୟ ତାହାର ଶିରୋଦେଶରେ ମୌନଭାବେ ବସି ଚିନ୍ତାନ୍ଵିତ । ତାଙ୍କର ପ୍ରଧାନ ଚିନ୍ତାର ବିଷୟ ଥିଲା, ‘‘ଭାରତ ରମଣୀର ଅବସ୍ଥା” ସଦ୍ୟ ଜଳୋତ୍ତୋଳିତ ତରୁଣୀର ମୁଖକୁ ନିରୀକ୍ଷଣ କରି ସେ ଭାବୁଥିଲେ, ଏହା ହିଁ କି ସୀତା ସାବିତ୍ରୀଙ୍କ ଅଂଶ ସମ୍ଭୂତାଙ୍କର ଚରମ ଗତି । ଯେଉଁ ଦେଶରେ ନାରୀର ସମ୍ମାନ, ନାରୀର ବିଦ୍ୟା, ନାରୀର ସତୀତ୍ଵ ପୂଜାର ସାମଗ୍ରୀ, ଯେଉଁ ଦେଶର ଋଷି ରସନାରେ ‘‘ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ ରମନ୍ତେ ତତ୍ର ଦେବତାଃ” ଏହି ମହାବାଣୀ ଉଚ୍ଚାରିତ ହୋଇଥିଲା, ମହାଶକ୍ତି ମହାଲକ୍ଷ୍ମୀ ମହାବିଦ୍ୟା ଇତ୍ୟାଦି ସମଗ୍ର ଶ୍ରେଷ୍ଠଆଖ୍ୟା, ଶ୍ରେଷ୍ଠ ପ୍ରକୃତି, ନାରୀତ୍ୱକୁ ବୁଝାଉଥିଲା, ସେହି ଦେଶର ନାରୀ, ଆଜି କୁଳକଳଙ୍କିନୀ-ଆତ୍ମଘାତିନୀ । ଏମାନଙ୍କର ସଂସାରର କ’ଣ ଅଛି ଉପାୟ ନାହିଁ । ଭାବୁ ଭାବୁ ତାଙ୍କର ଲୋଚନ ଲୋତକ ପୂର୍ଣ୍ଣ ହେଲା, ସେ ସ୍ୱାମୀଜୀଙ୍କ ମୁଖକୁ ଅନାଇ ଧୀର କଣ୍ଠରେ କହିଲେ–‘‘ବାବା ! ନାରୀଜାତିର ଦୁର୍ଦ୍ଦଶା ମୋଚନର କିଛି ଉପାୟ ନାହିଁ କି ?”

 

ସ୍ୱାମୀଜୀ ପ୍ରଶାନ୍ତ ସ୍ୱରରେ କହିଲେ—‘‘ଉପାୟ ତୁମ୍ଭେମାନେ, ଦେଶର ଯୁବକବୃନ୍ଦ, ସମାଜର ଭାବି ଆଶା ଭରସାର ସ୍ଥଳ । ତୁମ୍ଭେମାନେ ଜାଗ୍ରତ ହେଲେ, ଭାରତର ନାରୀଶକ୍ତି ଦ୍ୱାରା ବିଶ୍ୱ ଚମକିତ କରିପାରିବ ।’’ ଯେଉଁ ନାରୀ ଶକ୍ତି, ଦିନେ ବିଶ୍ୱସାରା ଘୋଷା ରୂପରେ ପବିତ୍ର ଋଗବେଦ ଗାନ କରିଥିଲା, ମୈତ୍ରେୟୀ ରୂପରେ ଦର୍ଶନର ସୁଗଭୀର ତତ୍ତ୍ଵ ହୃଦୟଙ୍ଗମ କରିଥିଲା, ସାବିତ୍ରୀରୂପରେ ମୃତ୍ୟୁଞ୍ଜୟା ହୋଇଥିଲା, ସୀତା ରୂପରେ ପୃଥିବୀ ଦ୍ଵିଧା କରିଥିଲା, ସେ ମହୀଷ–ମର୍ଦ୍ଦିନୀ, ଚଣ୍ଡୀରୂପିଣୀ ପ୍ରେମମୂର୍ତ୍ତି, ରାଧାରୂପିଣୀ ବିଦ୍ୟାରୂପିଣୀ ସରସ୍ଵତୀ, ଧନଧାନ୍ୟଧାରିଣୀ ଲକ୍ଷ୍ମୀ ତୁମ୍ଭରି ତ ଜନନୀ ଭଗିନୀ । ତୁମ୍ଭେ ତାଙ୍କୁ କାର୍ଯ୍ୟକ୍ଷେତ୍ରକୁ ଡାକ । ଦେଖିବ ପୁରୁଷ ଦେହରେ ପ୍ରାଣ-ସଞ୍ଚାର ହେବ, କର୍ମ ମଧ୍ୟରେ ଧର୍ମ ଦୀପ୍ତି ପ୍ରକାଶ କରିବ, ସୁପ୍ତ ଭାରତ ପୁଣି ସିଂହବିକ୍ରମରେ ଉଠିବ-

 

ଚନ୍ଦ୍ରୋଦୟ ଭକ୍ତିଭରେ ମସ୍ତକ ଅବନତ କରି କିଛି କ୍ଷଣ ପରେ କହିଲେ, ‘‘କିନ୍ତୁ କି ଉପାୟରେ ସାଧିତ ହେବ ?” ସ୍ୱାମୀ ସଦାନନ୍ଦ ପୂର୍ବବତ୍‍ ପ୍ରଶାନ୍ତ ଭାବରେ କହିଲେ, ‘‘ଉପାୟ ତୁମ୍ଭମାନଙ୍କର ସ୍ୱାର୍ଥତ୍ୟାଗ, ନିଜର ଅହମିକା ଖର୍ବ କରିବା । ତୁମ୍ଭେମାନେ ଯଦି ଶାସ୍ତ୍ରରେ ଅଯଥା ଦ୍ୱାହି ନ ଦେଇ ଧୀର ସଂଯତ ଚିତ୍ତରେ ବିଚାର କରି ନାରୀକୁ ତାହାର ଅଧିକାର ଫେରାଇ ଦିଅନ୍ତ, ତାହାହେଲେ ତୁମ୍ଭର ନିଜର ଅଶେଷ ଉନ୍ନତି ସାଧିତ ହୁଅନ୍ତା । ସୁମାତାର ପୁତ୍ରହୋଇ, ସୁପତ୍ନୀର ପତି ହୋଇ ଯୋଗ୍ୟା ଭଗିନୀଙ୍କ ସହିତ ଦେଶର ଦେଶର ହିତରେ ଆତ୍ମପ୍ରାଣ ବଳି ଦେଇ ପାରନ୍ତ-। ଭାବି ଦେଖ, ପୁରୁଷର କାର୍ଯ୍ୟରେ ପ୍ରଧାନ ବାଧା କିଏ ସେ ? ପୁରୁଷର ପ୍ରତ୍ୟେକ ଉଚ୍ଚ ଚିନ୍ତା, ମହତ୍‍ କର୍ମର ମୂଳରେ ଅଲକ୍ଷିତ କୁଠାରାଘାତ କିଏ କରୁଛି । ନାରୀକୁ ପୁରୁଷର ସହଧର୍ମ୍ମିଣୀ କରି ନିଅ, ହିନ୍ଦୁ ଶାସ୍ତ୍ରୋକ୍ତ ସହଧର୍ମ୍ମିଣୀ, ସହକର୍ମ୍ମିଣୀର ଅର୍ଥ ବାସ୍ତବରେ ସଫଳ ହେଉ ।”

 

ଚନ୍ଦ୍ରୋଦୟ କହିଲେ—‘‘ଝିଅମାନଙ୍କୁ ଆଧୁନିକ ପ୍ରଣାଳୀରେ ଶିକ୍ଷାଦାନର ବ୍ୟବସ୍ଥାରେ ସେମାନଙ୍କର ଉନ୍ନତି ହେବ କି ?” ସ୍ୱାମୀ କହିଲେ ‘‘ମୁଁ କୌଣସି ପ୍ରଣାଳୀର ପକ୍ଷପାତୀ ନୁହେଁ; ମୁଁ ଭାରତୀୟ ପ୍ରଣାଳୀର ପକ୍ଷପାତୀ ।’’ ଭାରତ ଲକ୍ଷ୍ମୀଙ୍କୁ ଭାରତର ଉପଯୁକ୍ତା କନ୍ୟା; ସର୍ବଗୁଣାଳଂକୃତା ବଧୂ ପୁରୁଷର ନମ୍ର ସଖୀ ନୁହେଁ, ଧର୍ମ ସଖୀରେ ପରିଣତ ହେବା ଦେଖିଲେ ମୁଁ ସୁଖୀ ହେବି ।” ତା’ ପାଇଁ ସୁଦୂର ବିଦେଶକୁ ତୁମ୍ଭଙ୍କୁ ଯିବାକୁ ହେବନାହିଁ । ଇଂଲଣ୍ଡ, ଆମେରିକାର ଆଦର୍ଶରେ ହିଁ କେବଳ ନାରୀକୁ ଶିକ୍ଷିତା କରିବା ଆବଶ୍ୟକ ହେବ ନାହିଁ । ତୁମରି ଶାସ୍ତ୍ର ଘାଣ୍ଟି ଦେଖ, ନାରୀ ଶିକ୍ଷାର ସର୍ବୋଚ୍ଚ, ସର୍ବଶ୍ରେଷ୍ଠ ପ୍ରଣାଳୀ ଦେଖି ପାରିବ । ଯେଉଁ ଦେଶରେ ନାଳନ୍ଦା ବିଶ୍ୱବିଦ୍ୟାଳୟରେ ସର୍ବଜାତୀୟ ନର ନାରୀ ଶିକ୍ଷାଲାଭ କରୁଥିଲେ, କୁମାରୀ ସଂଘମିତ୍ରା ସୁଦୂର ସିଂହଳ ପର୍ଯ୍ୟନ୍ତ ଯାଇ ପାରିଥିଲେ, ସେ ଦେଶର ନାରୀଙ୍କ ସକାଶେ କେବଳ ପାଶ୍ଚାତ୍ୟ ଆଦର୍ଶ ଟାଣି ଓଟାରି ଆଣିବାର ପ୍ରୟୋଜନ କ’ଣ ଅଛି ବାବା । ଆମର ନ ଥାନ୍ତା ଆମେ ବିଦେଶରୁ ଗ୍ରହଣ କରନ୍ତୁ । ଆମର ଯେ ଅଛି । ଆମରି ଶିକ୍ଷା ସାଧନା ଫଳରେ ଆମ ନାରୀମାନେ ବିଶ୍ଵଶ୍ରେଷ୍ଠା ହୋଇଥିଲେ । ଭାବିଛ କି ପୁଅ, ଓଡ଼ିଆ ଝିଅର ଆଜି ଦୁର୍ଦ୍ଦଶାର ଚରମ ସୀମା ଦେଖି, ଆମ ଦେଶରେ ଆଦୌ ନାରୀ ଶିକ୍ଷା ନ ଥିଲା । ଦଣ୍ଡୀ ଓଡ଼ିଆ ରମଣୀ ହୋଇ ସୁବିସ୍ତୀର୍ଣ୍ଣ କଳିଙ୍ଗ ରାଜ୍ୟର ସାମ୍ରାଙ୍ଗୀ ହୋଇଥିଲେ; ଓଡ଼ିଆ ରମଣୀ ଲୀଳାବତୀର ଉର୍ବର ମସ୍ତିଷ୍କରୁ ଜଗତଶ୍ରେଷ୍ଠ ଅଙ୍କଶାସ୍ତ୍ରର ଉତ୍ପତ୍ତି; ଓଡ଼ିଆ ଝିଅ ମାଧବୀ, ମାଦଳା ପାଞ୍ଜିର ଲେଖିକା । ଓଡ଼ିଆ ରମଣୀ କ’ଣ କରି ନ ପାରେ । ଦିନେ ଘୋଡ଼ାରେ ଚଢ଼ି ଯେ ଯୁଦ୍ଧ କରୁଥିଲା, ଚିତ୍ରଶିଳ୍ପରେ ସଙ୍ଗୀତ କଳାରେ ବିଶ୍ଵମୋହିତ କରୁଥିଲା ସେହି ଓଡ଼ିଆ ରମଣୀର ପୁତ୍ର ଆମ୍ଭେମାନେ ନୋହୁକି ! ଓଡ଼ିଆର କ’ଣ ନ ଥିଲା, ଓଡ଼ିଶା ଦେଶରେ ଯାହା ନ ଥିଲା ଭାରତରେ ତାହା ନ ଥିଲା—କହୁଁ କହୁଁ ତାଙ୍କର କଣ୍ଠରୁଦ୍ଧ ହେଲା । ଆଖିରୁ ଲୁହ ଝରି ବକ୍ଷ ତିନ୍ତିଲା । କିଛିକ୍ଷଣ ପରେ ଗମ୍ଭୀର ସ୍ଵରରେ ସ୍ୱାମୀଜୀ ଗୀତାରମ୍ଭ କଲେ ।

 

‘‘କଳା, କାବ୍ୟ, ଶିଳ୍ପଖଣି ଏ ଉତ୍କଳ,

ନିସର୍ଗ କମଳା ଲୀଳା–ଶତଦଳ”

ଆଜି ସେ ବିକଳ, ଆଜି ହୀନ ବଳ, ଅଛିକି ନ ଅଛି ଜୀବନ ।୧।

ସିଂହ ଗଜପତି, ଯେ ଦେଶ ଭୂପତି

ଯେ ଦେଶ ଦେବତା ବିରଜା ଶ୍ରୀପତି

ଅତୁଳ କିରତୀ, ସେ ତ ବୀରଜାତି, କିପାଇଁ ନିର୍ଜୀବ ଭଗନ ।୨।

 

ଲକ୍ଷ୍ମୀ ଗୀତ ସ୍ୱରରେ ଜାଗ୍ରତ ହେଲା । ଏକ’ଣ ନନ୍ଦନର ଗନ୍ଧର୍ବ ସଙ୍ଗୀତ । ସେ ନିର୍ବାକ କୌତୂହଳରେ ସ୍ୱାମୀଜୀ ଓ ଚନ୍ଦ୍ରୋଦୟଙ୍କୁ ଅନାଇ ରହିଲା ।

Image

 

(୧୦)

ଶାନ୍ତି କୁଟୀର

 

କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ଭାର୍ଯ୍ୟା ସରସ୍ୱତୀଙ୍କ ସହିତ ସ୍ୱାମୀ ସଦାନନ୍ଦଙ୍କର ଲକ୍ଷ୍ମୀ ବିଷୟରେ ଅନେକ କଥା ହେଲାପରେ ସ୍ୱାମୀ ଦୁଃଖିତ କଣ୍ଠରେ କହିଲେ, ଲକ୍ଷ୍ମୀପରି ସାକ୍ଷାତ ଲକ୍ଷ୍ମୀଙ୍କୁ ଆପଣାର ସହଧର୍ମିଣୀ ରୂପେ ଗ୍ରହଣ କରିବାକୁ କେହି ସାହସୀ ହେଉ ନାହାନ୍ତି, ଏହା ପରିତାପର ବିଷୟ । ଦୋଷ ମଧ୍ୟରେ ସେ ବାଲ୍ୟ ବିଧବା । ନୋହିଲେ ଲକ୍ଷ୍ମୀତୁଲ୍ୟ ସର୍ବଗୁଣସମ୍ପନ୍ନା, ଅଟଳ ଧର୍ମମତି, ପବିତ୍ର ଚରିତ୍ର ନାରୀକୁ ପତ୍ନୀରୂପେ ଗ୍ରହଣ କରିବା ତ ଯେ କୌଣସି ପୁରୁଷର ସୌଭାଗ୍ୟ-।” ସରସ୍ଵତୀ ନମ୍ରମୁଖରେ କହିଲେ, ‘‘ବାବା, ବିଧବାକୁ ବିବାହ କରି ସମାଜଚ୍ୟୁତ ହେବାକୁ କାହାରି ସାହସ ନାହିଁ । ହିନ୍ଦୁ ଧର୍ମରେ ବିଧବା ବିବାହ ଯେ ନାହିଁ ।’’

 

ସ୍ୱାମୀ—ମା ! ତୁମ୍ଭେ କଣ ପଣ୍ଡିତ ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କୁ ଜାଣିନାହଁ ? ବିବାହ ସକାଶେ ସେ ଯାହା କରି ଯାଇଛନ୍ତି ଏପରି କେହି କରି ନାହିଁ । ତାଙ୍କର ନିଜର ଗୋଟିଏ ବୋଲି ପୁଅକୁ ସେ ବାଳ ବିଧବାକୁ ବିବାହ କରାଇଥିଲେ । ଦିନେ ଗୋଟିଏ ସାତବର୍ଷର ଝିଅ ତାଙ୍କୁ ଆସି ପ୍ରଣାମ କଲାରୁ ସେ ଆଶୀର୍ବାଦ କରି କହିଲେ, ‘‘ମାଁ, ତୁମ୍ଭର ଶୀଘ୍ର ବିବାହ ହେଉ, ଆଉ ତୁମ୍ଭେ ବିଧବା ହୁଅ, ମୁଁ ତୁମକୁ ଯେପରି ଦ୍ଵିତୀୟ ପତି ହସ୍ତରେ ଦେଇପାରେ । ଆମ ଝିଅମାନେ ବାଳବିଧବା ନ ହେଲେ ବିଧବା ବିବାହ ହେବ କେଉଁଠୁ ?” ବାଲ୍ୟ ବିବାହ ଯେ କିପରି ଘୋର ଅନିଷ୍ଟକାରୀ ଏହାହିଁ ତାଙ୍କ କଥାର ଉଦ୍ଦେଶ୍ୟ ଥିଲା ।

 

ସରସ୍ଵତୀ ଅତି ଧୀର ଭାବେ କହିଲେ—ପିତଃ ! ହିନ୍ଦୁ ରମଣୀର ଦ୍ଵିତୀୟ ବିବାହ ଦ୍ୱାରା ସତୀତ୍ଵ ହାନି ହେବ ନାହିଁ କି ? ସେ କି ପତିବ୍ରତା ବୋଲି ଗଣିତ ହେବ ।

 

ସ୍ଵା—ମାଁ ! ହିନ୍ଦୁର ବିବାହ ପିଲା ଖେଳ ନୁହେଁ । ସାମାନ୍ୟ ରେଜେଷ୍ଟ୍ରି ବା କଣ୍ଟ୍ରାକ୍ଟ କି ଚୁକ୍ତିନାମା ନୁହେଁ; ବିବାହ ଦେହ ମନ ଆତ୍ମାର ବିବାହ, ଇହକାଳ ପରକାଳର ବିବାହ ; ସାତ ବର୍ଷର କ୍ଷୁଦ୍ର ଶିଶୁ କନ୍ୟା ଅବା ୧୦|୧୨ ବର୍ଷର ଅପ୍ରାପ୍ତ ବୟସ୍କ ବାଳକ କି ହିନ୍ଦୁର ବିବାହ ମନ୍ତ୍ରର ମର୍ମ୍ମାର୍ଥ ଗ୍ରହଣ କରି ସମଗ୍ର ବିଶ୍ୱ ଏବଂ ମହାନ ପରମେଶ୍ୱରଙ୍କୁ ସାକ୍ଷୀକରି ପରସ୍ପରଠାରେ ଆତ୍ମସମର୍ପଣ କରି ପାରନ୍ତି ? ଆର୍ଯ୍ୟ ଜାତିର ଆଜିପ୍ରଧାନ ଅଧୋଗତିର କାରଣ ବିବାହ ମନ୍ତ୍ର ଉପେକ୍ଷା । ଯେ ବିବାହ କରେ ସେ ଯନ୍ତ୍ର ଚାଳିତ ପରି ପର ହାତରେ ଟେକାହୋଇ ବିବାହ କରେ । ପୁରୋହିତ ସହିତ ନ ବୁଝି ମନ୍ତ୍ର ଉଚ୍ଚାରଣ କରି ଚାଲିଯାଏ, କିନ୍ତୁ ଯେ ବୁଝି ବିବାହ କରନ୍ତା, ବିବାହର ଅପାର ଦାୟିତ୍ୱ ସମ୍ପୂର୍ଣ୍ଣ ହୃଦୟଙ୍ଗମ କରି ଯେ ସେ ଭାର ମୁଣ୍ଡରେ ମୁଣ୍ଡାନ୍ତା, ସେହି ହୁଅନ୍ତା ଆଦର୍ଶ ଗୃହୀ ଏବଂ ସୁସନ୍ତାନର ଜନକ । ମାଁ ! ସବୁ ଆର୍ଯ୍ୟବିଧି ଲୁପ୍ତ ହେଲାଣି, ସବୁ କ୍ରିୟାକର୍ମ ଉଠି ଗଲାଣି; ଆମେ ହେଲୁଣି ଅନ୍ଧ କୁସଂସ୍କାରର ଦାସ, କିନ୍ତୁ ମାଁ, ସେହି କୁସଂସ୍କାର ଗୁଡ଼ିକ ପୂର୍ବକାଳର ସୁସଂସ୍କାର ରହିଁ କଙ୍କାଳ ବିଶେଷ ।

 

କୃଷ୍ଣଚନ୍ଦ୍ର ଘର ଭିତରକୁ ଆସି ସ୍ୱାମୀଜୀଙ୍କୁ ପ୍ରଣାମ କଲେ ବିଧବା ବିବାହର ଆଲୋଚନାରେ ସେ ମଧ୍ୟ ଯୋଗଦାନ ପୂର୍ବକ ଶାସ୍ତ୍ରୀୟ ପ୍ରମାଣ ଖୋଜିଲେ । ସଦାନନ୍ଦ ପରାଶର ସଂହିତାରୁ ଶ୍ଳୋକ ପାଠ କରି ଶୁଣାଇ ଦେଲେ । ସ୍ୱାମୀ ସ୍ତ୍ରୀ ନିର୍ବାକ ! କିଛିକ୍ଷଣ ପରେ କୃଷ୍ଣଚନ୍ଦ୍ର କାତର କଣ୍ଠରେ କହିଲେ ପିତଃ ! ଶାସ୍ତ୍ରୀୟ ଆଦେଶ ଥିବା ସତ୍ତ୍ୱେ ଦଶଲକ୍ଷ ବାଲ୍ୟ ବିଧବାର ରକ୍ତ ଲୋତକରେ ଭାରତ ବୁଡ଼ି ରହିଛି । ଏ ଦେଶ ମସ୍ତକଉପରୁ ବିଧବାର ଅଭିଶାପ କେବେ ଦୂର ହେବ-!

 

ସ୍ଵା—ମୋହର ଇଚ୍ଛା ବାଲ୍ୟ ବିଧବାଙ୍କର ବିବାହ ହୁଅନ୍ତା, ବୟସ୍କା ବିଧବା ସମାଜର ସେବା କାର୍ଯ୍ୟ ଓ ଦେଶ ହିତକର କାର୍ଯ୍ୟ ଗ୍ରହଣ କରନ୍ତେ, ଶିଶୁପାଳନର ଭାର ତାଙ୍କରି ଉପରେ ପଡ଼ନ୍ତା, ଆଉ ବିବାହିତା ନାରୀମାନେ ସ୍ୱାମୀର ପ୍ରକୃତ ସହଧର୍ମ୍ମିଣୀ ହେବା ପାଇଁ ଶିକ୍ଷାପ୍ରାପ୍ତ ହୁଅନ୍ତେ ।

 

କିଛିକ୍ଷଣ କଥାବାର୍ତ୍ତା ପରେ ସ୍ୱାମୀ ସରସ୍ଵତୀଙ୍କ ସ୍ଥାପିତ ‘‘ଶାନ୍ତି କୁଟୀର” ପରିଦର୍ଶନ କରିବାକୁ ଗଲେ । ଶାନ୍ତିକୁଟୀର ବାଳିକା ଓ ବିଧବାମାନଙ୍କର ଆଶ୍ରମ । ଆଶ୍ରମର ତତ୍ତ୍ଵାବଧାରିକା ଥିଲେ ସ୍ୱୟଂ ସରସ୍ୱତୀ, ତାଙ୍କ କନ୍ୟା ସତ୍ୟବତୀ ଓ ଲକ୍ଷ୍ମୀ ଉଭୟେ ବିଭିନ୍ନ ବିଭାଗର କାର୍ଯ୍ୟ ପରିଦର୍ଶନ କରୁଥିଲେ । ବିପିନ ବାବୁଙ୍କ ଅର୍ଥର ସଦ୍‍ବ୍ୟବହାର କରି ସ୍ୱାମୀ ସଦାନନ୍ଦ ବ୍ରହ୍ମପୁରରେ ଉକ୍ତ ଅନୁଷ୍ଠାନ କରିଥିଲେ ।

 

ବର୍ଷୀୟସୀ କରଣ ବିଧବା ଶ୍ରୀମତୀ ଶାନ୍ତିଲତା ସମଗ୍ର ଆଶ୍ରମର ପ୍ରଧାନ ଶିକ୍ଷୟିତ୍ରୀ, ସେ ଧନୀକନ୍ୟା ଓ ଜମିଦାର ପତ୍ନୀ ଥିଲେ । କୌଣସି ସ୍କୁଲ କଲେଜରେ ପଢ଼ି ନଥିଲେ ହେଁ ସେ ଗୃହଶିକ୍ଷା ଦ୍ୱାରା ଅନେକ ବିଦ୍ୟାର୍ଜନ କରିଥିଲେ । ଓଡ଼ିଆ, ଇଂରାଜୀ, ବଙ୍ଗଳା ତିନି ଭାଷାରେ ତାଙ୍କର ଯଥେଷ୍ଟ ଅଧିକାର ଥିଲା । ସେ କାହାରିକୁ ଭୟ ବା ଅଯଥା ଲଜ୍ଜା କରୁ ନଥିଲେ । ସ୍ୱାମୀଙ୍କ ଜୀବିତାବସ୍ଥାରେ ତାଙ୍କର ସହକାରିଣୀ ତୁଲ୍ୟ ଦେଶକାର୍ଯ୍ୟରେ ସର୍ବଦା ଅଗ୍ରସର ହେଉଥିଲେ ।

 

ସ୍ୱାମୀଙ୍କ ମୃତ୍ୟୁ ଅନ୍ତେ ଦିଓଟି ଉପଯୁକ୍ତ ପୁତ୍ର ଏବଂ ପୁତ୍ରବଧୂଙ୍କ ହସ୍ତରେ ସଂସାରର ଭାର ଅର୍ପଣ କରି ଶାନ୍ତିଲତା ଦେଶ ସେବାର୍ଥ ବହିର୍ଗତ ହେଲେ । ନାରୀ ଜାତିର ଉନ୍ନତି ତାଙ୍କର ସାଧନାର ବିଷୟ ଥିଲା । ସରସ୍ଵତୀଙ୍କ ସହିତ ମିଳିତ ହୋଇ ସ୍ୱାମୀଜୀଙ୍କ ନିର୍ଦ୍ଦେଶ ମତେ ସେ ଶାନ୍ତି କୁଟୀର ରଚନା କଲେ । ସେଠାରେ ବାଳିକାମାନଙ୍କର ଭାରତୀୟ ପ୍ରଣାଳୀରେ ବିଦ୍ୟା ଓ ଶିଳ୍ପ ଶିକ୍ଷାର ବନ୍ଦୋବସ୍ତ ହେଲା ।

 

ପ୍ରଥମେ କେହି ନିଜର କନ୍ୟା ବା ଭଗିନୀଙ୍କୁ ଉକ୍ତ ଆଶ୍ରମକୁ ପଠାଇବାପାଇଁ ସମ୍ମତ ହେଲେ ନାହିଁ । ଶାନ୍ତି ଦେଶର ଅବସ୍ଥା ଭଲ ରୂପେ ବୁଝିଥିଲେ । ସେ, ସରସ୍ଵତୀ, ସ୍ୱାମୀ ସଦାନନ୍ଦ, ଓ କୃଷ୍ଣଚନ୍ଦ୍ର ଘରେ ଘରେ ବୁଲି ଲୋକଙ୍କୁ ଉପଦେଶ ଦେବାକୁ ଲାଗିଲେ । ଅନାଥା ଓ ଗୃହତ୍ୟାଗିନୀ କତୀପୟ ବିଧବା ପ୍ରଥମେ ସେଠାରେ ଆଶ୍ରୟ ଲାଭ କଲେ । କୁଳତ୍ୟାଗିନୀ ଅନେକଗୁଡ଼ିଏ ରମଣୀ ମଧ୍ୟ ସେଠାରେ ଗ୍ରାସାଚ୍ଛାଦନର ସୁବିଧା ପାଇ ଅସତ୍‍ପଥ ତ୍ୟାଗ କରି ଶାନ୍ତିର ଆଶ୍ରୟରେ ରହିଲେ-। ଶାନ୍ତି ସେମାନଙ୍କୁ ମାତୃବତ ପାଳନ କରି ନାନା ବିଦ୍ୟା ଶିଳ୍ପ ଶିକ୍ଷା ଦେଲେ । କ୍ରମେ ସେମାନଙ୍କର ସଂସ୍କାର ହେଲା । ନାନାଦି ଅର୍ଥକର ବ୍ୟବସାୟ ଶିକ୍ଷାକରି ଆଶ୍ରମର ଧନ ବୃଦ୍ଧି କଲେ-। ସିଲାଇ, ସୂତା ଓ ଉଲକାମ, ସୂତା କଟା, କାଇଁଶ ଓ ବାଉଁଶରେ ପାଚିଆଠାରୁ ଆରମ୍ଭ କରି ସବୁ ପ୍ରକାର ଭଲ ଭଲ ପଦାର୍ଥ ତିଆରି, ବଢ଼େଇ ଓ କମାର କାମ ଶିଙ୍ଗ କାମ, ବାରିବଗିଚା କାମ, ରୋଷେଇ ଇତ୍ୟାଦି ଯାହା ଯାହା ସ୍ତ୍ରୀ ଲୋକେ କରିପାରନ୍ତି, ସବୁ ସେମାନଙ୍କ ଦ୍ୱାରା ସୁଚାରୁରୂପେ ହେଲା । ଏହିପରି ଆଶ୍ରମର ଶ୍ରୀବୃଦ୍ଧି ହେଲା । କ୍ରମେ ଅନେକ ଗୁଡ଼ିଏ ଗୋରୁ ପାଳି ସହରରେ ନିରୋଳା ଦୁଧ ବିକ୍ରି ଦ୍ୱାରା ଆଶ୍ରମର ଆୟ ବଢ଼ିଲା । ପୋଖରୀରୁ ବର୍ଷକୁ ବର୍ଷ ମାଛ ବିକ୍ରି ହେଲା । ସେ ଆଶ୍ରମର ଖ୍ୟାତି ବିଦେଶରେ ମଧ୍ୟ ପ୍ରଚାରିତ ହେଲା । ଅନେକ କାମର ଫରମାସୀ ସୁଦୂର ବିଦେଶମାନଙ୍କରୁ ସୁଦ୍ଧା ଆସିଲା । କ୍ରମେ କ୍ରମେ ଲୋକମାନେ ଆପଣା ଝିଅମାନଙ୍କୁ ସେଠି ପାଠ ପଢ଼ିବାକୁ ଛାଡ଼ିଲେ-। ଆଶ୍ରମର ନିୟମାନୁସାରେ ପାଞ୍ଚବର୍ଷଠାରୁ ଚଉଦ ବର୍ଷ ମଧ୍ୟରେ ଝିଅମାନଙ୍କୁ ଭାରତୀୟ ଗୃହସ୍ଥଳୀର ଉପଯୁକ୍ତ ଶିକ୍ଷା ଦିଆଗଲା । ଚଉଦବର୍ଷ ହେଲେ ଅଭିଭାବକମାନଙ୍କ ଇଚ୍ଛାକ୍ରମେ ବିବାହ ସକାଶେ କେହି ବା କନ୍ୟା ଘେନି ଯାଉଥିଲେ, କେହି ବା ଉଚ୍ଚଶିକ୍ଷା ସକାଶେ ଆହୁରି ବର୍ଷେ ଦୁଇବର୍ଷ ଛାଡ଼ି ଦେଉଥିଲେ । ଯଦିଚ ଶିକ୍ଷା ସମ୍ପୂର୍ଣ୍ଣତା ସୂଚକ କୌଣସି ଗଭର୍ଣ୍ଣମେଣ୍ଟ ସାର୍ଟିଫିକଟ ବାଳିକାମାନେ ପାଉ ନ ଥିଲେ, ସେମାନେ ଭବିଷ୍ୟତରେ ସୁଗୃହିଣୀ ଓ ସମାତା ହୋଇ ଆପଣା ଘର ଉଜ୍ଜ୍ୱଳ କରୁଥିଲେ ।

Image

 

(୧୧)

ସମାଜ ସେବିକା

 

ଅସାମାନ୍ୟା ବୁଦ୍ଧିମତୀ ଲକ୍ଷ୍ମୀର ଜୀବନର କି ପ୍ରକାର ଉନ୍ନତି ହେବ, ଏହା ଭାବି ସ୍ୱାମୀ ସଦାନନ୍ଦ ଶାନ୍ତି ହସ୍ତରେ ତାହାର ଶିକ୍ଷାଭାର ଅର୍ପଣ କରିଥିଲେ । ଦୁଇବର୍ଷ ମଧ୍ୟରେ ଲକ୍ଷ୍ମୀ ଶାନ୍ତିଙ୍କଠାରୁ ପ୍ରାପ୍ତବ୍ୟ ସବୁ ଶିକ୍ଷା ସମାପ୍ତ କରିବାରୁ କୃଷ୍ଣଚନ୍ଦ୍ର ତାହାର ଶିକ୍ଷା ବିଷୟରେ ନିଜେ ମନୋଯୋଗୀ ହେଲେ । କୃଷ୍ଣଚନ୍ଦ୍ର ସାହିତ୍ୟାନୁରାଗୀ । ତାଙ୍କର ପ୍ରବନ୍ଧ, କବିତାଦି ପାଠକରି ଲକ୍ଷ୍ମୀ ମଧ୍ୟ ସାହିତ୍ୟାନୁରାଗିଣୀ ହେଲା । ତାହାର ରଚିତ ‘‘ନିବେଦନ” ଶୀର୍ଷକ କବିତା ଯେତେବେଳେ ଜାଗରଣରେ ପ୍ରକାଶିତ ହେଲା, ସେତେବେଳେ ‘‘ଲକ୍ଷ୍ମୀ କିଏ ?” ଏହା ଗଞ୍ଜାମଠାରୁ କଟକ, ପୁରୀ, ବାଲେଶ୍ୱର ପର୍ଯ୍ୟନ୍ତ ଲୋକେ ପଚାରି ବୁଲିଲେ ।

 

ସଦାନନ୍ଦ ତାହା ପାଠ କରି ତାଙ୍କର ଚକ୍ଷୁରୁ ଆନନ୍ଦାଶ୍ରୁ ଝରିଲା । ଲକ୍ଷ୍ମୀର ପ୍ରତିଭାରେ ଦିନେ ଓଡ଼ିଶା ଗୌରବାନ୍ୱିତ ହେବ, ଏହାଭାବି ତାଙ୍କର ହୃଦୟ ଉଲ୍ଲସିତ ହୋଇ ଉଠିଲା ।

 

ଲକ୍ଷ୍ମୀ ଲେଖିଲା । ଜାଗରଣରେ ପୃଷ୍ଠା ପୃଷ୍ଠା ବ୍ୟାପୀ ପ୍ରବନ୍ଧ ଲେଖିଲା । ସମାଜବନ୍ଧୁରେ ଗଳ୍ପ ଲେଖିଲା, କବିତା ଲେଖିଲା । ସରସ୍ଵତୀ ପ୍ରେସରୁ ଯେତେବେଳେ ଓଡ଼ିଶାର ନବ ଲେଖିକା ଲକ୍ଷ୍ମୀର ‘‘ସାଧନା” ନାମକ ଗୀତିକବିତା ପୁସ୍ତକ ପ୍ରକାଶିତ ହେଲା, ତାହା ଅଳ୍ପ ଦିନରେ ଶତ ଶତ ଖଣ୍ଡ ବିକ୍ରୟ ହୋଇଗଲା । ସାଧନାର ପରେ ଦେଖାଗଲା, ‘‘ଅଶ୍ରୁଧାରା” । ସମାଜ କାନ୍ଦିଲା । ଲକ୍ଷ୍ମୀର ଲେଖାର କରୁଣ ରସରେ ସମାଜର ହୃଦୟ ତିନ୍ତିଗଲା । ସ୍ୱାମୀ ସଦାନନ୍ଦ ଓ କୃଷ୍ଣଚନ୍ଦ୍ରଙ୍କର ଉତ୍ସାହରେ ଏବଂ ଶାନ୍ତିର ଯତ୍ନରେ ଲକ୍ଷ୍ମୀର ରଚନା ଦିନୁଁ ଦିନ ଉନ୍ନତି ଆଡ଼କୁ ଅଗ୍ରସର ହେଲା । ଲୋକେ ଧନ୍ୟ ଧନ୍ୟ କହିଲେ ।

 

କିନ୍ତୁ ଲକ୍ଷ୍ମୀ ଗର୍ବିତା ହେଲା ନାହିଁ । ଶାନ୍ତିକୁଟୀରର ବିଧବା ଆଶ୍ରମରେ ଥାଇ ବିଧବାମାନଙ୍କର ରନ୍ଧାବଢ଼ାଠାରୁ ଘର ଲିପା ପର୍ଯ୍ୟନ୍ତ ସେ ନିଜ ହାତରେ କରୁଥିଲା । ସେ ଯେ ମହା ପାପିନୀ । ଜନ୍ମ ଜନ୍ମାନ୍ତର ପାପ କରି ଆଜି ଏପରି ତାହାର ଅବସ୍ଥା ବିପର୍ଯ୍ୟୟ । ଏହା ଭାବି ସେ କର୍ମଫଳ କ୍ଷୟ ସକାଶେ କାର୍ଯ୍ୟ କରିବାକୁ ଲାଗିଲା । ଧର୍ମ ଭାବରେ ତାହାର ହୃଦୟ ପୂର୍ଣ୍ଣ । ନମ୍ରତାରେ ବିନୟ, ସୌଜନ୍ୟରେ ତାହାର ସର୍ବାଙ୍ଗରେ ଗୋଟିଏ କୋମଳ ସୌନ୍ଦର୍ଯ୍ୟ ଫୁଟି ପଡ଼ୁଥିଲା । ଆଉ ତାହାହିଁ ହେଲା ଶାନ୍ତିର ତା’ପ୍ରତି ଅସୀମ ବାତ୍ସଲ୍ୟର ହେତୁ ।

 

ଶାନ୍ତିର ପୁଅ ବୋହୂ ଥିଲେ, ସ୍ୱାମୀ ନଣନ୍ଦଙ୍କର ସ୍ନେହ ସୌହାର୍ଦ୍ଦ୍ୟ ସବୁ ସେ ଲାଭ କରିଥିଲେ । କିନ୍ତୁ ବିଧାତା ତାଙ୍କୁ ଦେଇ ନଥିଲେ କେବଳ ଗୋଟିଏ କନ୍ୟା । ଆଜି ଲକ୍ଷ୍ମୀ ସେ ଅଭାବ ପୂରଣ କରିଛି । ନିଜର ଆଦର୍ଶରେ, ନିଜର ଶିକ୍ଷାରେ ଗଢ଼ି ନେବାକୁ ଗୋଟିଏ ଝିଅ ଯେପରି ବିଧାତା ତାଙ୍କୁ ଦାନ କଲେ । ଶାନ୍ତି ପରମାଦରରେ ସେ ଝିଅଟିକୁ ମଣିଷ କରୁଥିଲେ । ସେତ ତାଙ୍କର ପ୍ରାଣର ଲକ୍ଷ୍ମୀ ।

 

ଘରେ ସଞ୍ଜ ବଳିତା ଜାଳି ଲକ୍ଷ୍ମୀ ଯେତେବେଳେ ଉପାସନା କରି ବସିଲା ଶାନ୍ତି ଆସି ଯୋଗ ଦେଲେ । ଉଭୟେ ପରମାଦରରେ ଗୀତା ପାଠ ସମାପ୍ତ କଲା ପରେ ଲକ୍ଷ୍ମୀ କାନ୍ଦି କାନ୍ଦି ପଚାରିଲା, ‘‘ମାଁ, ମଣିଷ ଯେ ଯାହା କର୍ମ କରେ ତାହାରି ଫଳ ଭୋଗ କରେ, ସେଥିପାଇଁ କ’ଣ ଜଗତରେ ଏତେ ଦୁଃଖ, ଏତେ ଯନ୍ତ୍ରଣା । ମଣିଷ କ’ଣ ନିଜ ଇଚ୍ଛାରେ କଣ କର୍ମ କରେ । ଭଗବାନ ପରା ସବୁର ନିୟନ୍ତା ।” ଶାନ୍ତି ଲକ୍ଷ୍ମୀର ପ୍ରଶ୍ନର ଗୂଢ଼ାର୍ଥ ବୁଝିଲେ, ତାଙ୍କ ଆଖିକି ପାଣି ଆସିଲା । ସେ କୋମଳ କଣ୍ଠରେ କହିଲେ, ‘‘ମାଁ, ତୁ ଯାହା ପଚାରିଛୁ ସେ ବଡ଼ କଠିନ ପ୍ରଶ୍ନ । ବଡ଼ ବଡ଼ ପଣ୍ଡିତ, ବଡ଼ ବଡ଼ ଜ୍ଞାନୀ, ତାହାର ସଦୁତ୍ତର ଦେଇ ପାରି ନାହାନ୍ତି । ମୁଁ ତ ମୂର୍ଖ । କିନ୍ତୁ ମୋ’ ମନରେ ହୁଏ ମାଁ, କିନ୍ତୁ ଭଗବାନଙ୍କ ଇଚ୍ଛାରେ ଏକା ଏ ଦୁଃଖ କଷ୍ଟ ଜଗତରେ ପୂର୍ଣ୍ଣ । ଆଉ ଏତେ ଦୁଃଖ କଷ୍ଟ ଦେଖିଲେ ହଠାତ୍‍ ମନରେ ହୁଏ, ଭଗବାନ କେଡ଼େ ନିଷ୍ଠୁର କିନ୍ତୁ ଯେତେବେଳେ ମନରେ ହୁଏ ଜୀବନଟା କେବଳ ୫୦।୬୦ ବର୍ଷର ନୁହେଁ, ସହସ୍ର ଲୋକ ବ୍ୟାପୀ, ସେତେବେଳେ ମନର କ’ଣ ଯେ ହୋଇଯାଏ । ଏ ଦୁଃଖ ଯାତନା ଯେ ଆମକୁ ତାଙ୍କରି କତିକୁ ଟାଣୁଛି । ଏକାବେଳେ ସୁଖରେ ଥିଲେ ଦିନେ କ’ଣ ଈଶ୍ୱର ବୋଲି ନାମ ଧରି ଥାଆନ୍ତୁ ?”

 

ଲକ୍ଷ୍ମୀ ଏଥର ସତ ସତ କାନ୍ଦି ପକାଇଲା । ଆଖି ପୋଛୁ ପୋଛୁ କହିଲା, ‘‘ମାଁ, ମୁଁ ସର୍ବଦା ଭାବେ, ମୋ’ ଜୀବନଟା ବ୍ୟର୍ଥ, ଜଗତର ଅକାରଣ ବୋଝ, ମୁଁ ଯେମିତି ଗୋଟିଏ ଜଞ୍ଜାଳପରି ସମାଜରେ ପଡ଼ି ରହିଛି । କିନ୍ତୁ ତମ କଥା ଶୁଣି ଭାବୁଛି, ମୋ ଜୀବନର ମଧ୍ୟ ଉଦ୍ଦେଶ୍ୟ ଅଛି, କେଉଁ ଘରେ, କେଉଁ ସମାଜରେ ଜନ୍ମ ହୋଇଥିଲି, ଆଉ ଆଜି ଆସିଲି କେଉଁଠିକି ? ଏ କ’ଣ ପ୍ରଭୁଙ୍କର ମାୟା ନୁହେଁ ?

 

ଶାନ୍ତି ଭକ୍ତିଭରେ କହିଲେ, ‘‘ଏତ ପ୍ରଭୁଙ୍କର କୃପା । ତୋ ଦ୍ୱାରା ଓଡ଼ିଶାର ଉପକାର କରିବାକୁ ପ୍ରଭୁ ତୋତେ ଏତେ ଅଭିଜ୍ଞତା ମଧ୍ୟରେ ଏଠିକି ଟାଣି ଆଣିଲେ’’ ।

 

ଲକ୍ଷ୍ମୀ—‘‘ନୋହିଲେ ଯମୁନା ଜଳରେ ମୋହର ଦେହ ପଚି ସାରନ୍ତାଣି । ଆତ୍ମହତ୍ୟା ମହାପାପ, କିନ୍ତୁ ଅସହ୍ୟ ଯନ୍ତ୍ରଣା ନହେଲେ କ’ଣ କେହି ଆତ୍ମହତ୍ୟା କରିବାକୁ ଯାଏ । ଓହୋଃ ! ଜୀବନରେ ମଣିଷର କେଡ଼େ ମାୟା” ଶାନ୍ତି କିଛିକ୍ଷଣ କ’ଣ ଭାବିଲେ, ତା’ପରେ ଦୀର୍ଘ ନିଶ୍ୱାସ ସହ କହିଲେ, ‘‘ମାଁ ! ଓଡ଼ିଆ ଘରେ କ’ଣ ଝିଅ ନାହାନ୍ତି ? ଦେଶରେ ଝିଅଙ୍କ ସକାଶେ ହଜାର ହଜାର କାମ ପଡ଼ିଛି, କିନ୍ତୁ ସମାଜରେ ଆଜି ଝିଅଙ୍କର କି ଦୁର୍ଦ୍ଦଶା । କିଏ ସମାଜର ଦୁଃଖ ସହି ନ ପରି ଆତ୍ମହତ୍ୟା କରିବାକୁ ଯାଉଛି, କିଏ କୁଳତ୍ୟାଗ କରୁଛି, ପୁଣି କେଉଁଠାରେ ଅନୁପଯୁକ୍ତ ଶିକ୍ଷାଫଳରେ ନାରୀର ନାରୀତ୍ୱ, ବିଳାସିତାର ଚରମରେ ପରିଣତ ହୋଇଛି । କିଏ ଆପଣା ଦୁଃଖରେ ବିଭୋର; କିଏ ଆପଣା ଗର୍ବରେ ଅନ୍ତଃସାର ଶୂନ୍ୟା । ଏ ଦୁଇ ଆଦର୍ଶର କୌଣସିଟା ହେଲେ ନାରୀଜାତିର ଉନ୍ନତିକର ନୁହେଁ । ଲକ୍ଷ୍ମୀ ! ତୁ ମାଁ ! ନାରୀର ଆଦର୍ଶ ହେବୁ । ସମାଜ–ସେବିକା ହେବୁ, ମୋହର ଏହି ଆଶୀର୍ବାଦ ।”

 

ଲକ୍ଷ୍ମୀ ନୀରବରେ ଆଶୀର୍ବାଦ ଗ୍ରହଣ କରି କହିଲା, ‘‘ମାଁ, ସେହି ଶିକ୍ଷା ମୋତେ ଦିଅ । ମୁଁ ଯେପରି ତୁମର ଆଦର୍ଶ କନ୍ୟା ହେବି ।”

 

ସେହି ଦିନୁ ଲକ୍ଷ୍ମୀର ଚରିତ୍ର ଆହୁରି ଉନ୍ନତ ହେଲା । ସେ ବୁଝିଲା, ତାହାର ଜୀବନ ବ୍ୟର୍ଥ ନୁହେଁ । ସେ ସଂସାରର ଅଳିଆ ନୁହେଁ । ଭଗବାନ ତାହାର ଜୀବନରେ ଓଡ଼ିଶାର ନାରୀ ସମାଜର ଉନ୍ନତି ସକାଶେ କାର୍ଯ୍ୟ କରିବା ଶକ୍ତି ଦେଇଛନ୍ତି ।

 

ଆହା ! ଆଜି ଲକ୍ଷ୍ମୀର କି ସୁଦିନ ! ଏଡ଼େ ବଡ଼ ସତ୍ୟ ସେ ସମାଜ ସେବିକା । ଓଡ଼ିଶାର ନାରୀ ସମାଜ ତାହାକୁ ଚାହେଁ । ତାହାର ସେବା, ତାହାର ରଚନା, ତାହାର ଜ୍ଞାନ, ତାହାର ଶକ୍ତି ଓଡ଼ିଶାର ହିତ ସକାଶେ ଦେବାପାଇଁ ସେ ଜନ୍ମ ! ଆଜି ଯେ ସେ ଭାଗ୍ୟବତୀ । ଲକ୍ଷ୍ମୀ ଆପଣାର ଦୁଃଖ ଭୁଲିଲା । ନିଜର ବୈଧବ୍ୟ ବିସ୍ମୃତ ହେଲା । ଜୀବନର ପୂର୍ବ ଘଟନାସବୁ ମନରୁ ପୋଛିବାକୁ ବସିଲା । ସେତ ସାମୟିକ ଅନୁଭୂତି । ଓଡ଼ିଶାର ମଙ୍ଗଳ, ଓଡ଼ିଶାର କଲ୍ୟାଣ ହେଲା ତାହାର ଜପାମାଳୀ । ତାହାପାଇଁ ସେ ଜୀବନ ଢାଳିବ । କର୍ତ୍ତବ୍ୟ କର୍ମରେ ଆତ୍ମ ସମର୍ପଣ କରି ଆତ୍ମପ୍ରସାଦ ଲାଭ କରିବ । ଏଥିରେ କଣ ତାହାର ନାରୀତ୍ୱ ସଫଳ ହେବ ନାହିଁ । ଅନ୍ୟର ସନ୍ତାନକୁ ନିଜର ସନ୍ତାନ ଭାବିଲେ କଣ ତାହାର ମାତୃତ୍ଵ ଆକାଂକ୍ଷା ପୂର୍ଣ୍ଣ ହେବ ନାହିଁ ? ସେ କିମ୍ପା ଭାବିବ ସେ ବିଧବା, ସେ ସର୍ବସ୍ଵ ବଞ୍ଚିତା !

 

ଲକ୍ଷ୍ମୀ ପରମ ଉତ୍ସାହରେ କାର୍ଯ୍ୟରେ ବ୍ରତୀ ହେଲା । ଶାନ୍ତି କୁଟୀରର ପ୍ରତ୍ୟେକ ବିଭାଗରେ ତାହାର ମଙ୍ଗଳମୟ ସ୍ପର୍ଶ ଯେପରି ନବ ଜୀବନ ଢାଳିଦେଲା । ବାଳିକାମାନେ ତାହାର ଶିକ୍ଷାରେ ଉନ୍ନତ ହେଲେ । ବିଧବାମାନେ ତାହାର ସାଧନାରେ ପବିତ୍ର ହେଲେ । ଶାନ୍ତିକୁଟୀରର ଚତୁର୍ଦ୍ଦିଗ ଶାନ୍ତିରେ ପୂର୍ଣ୍ଣ ହୋଇଗଲା । ସେବାରେ, ଶିଳ୍ପରେ, ଶିକ୍ଷାରେ ଶତ ଶତ ନାରୀ-ଜୀବନ ଧନ୍ୟ ହେଲା ।

 

ଆର୍ତ୍ତର ସହାୟ, ଅନାଥର ମାତା, ଦୁଃଖୀର ସାନ୍ତ୍ୱନାଦାତ୍ରୀ ଲକ୍ଷ୍ମୀର ଜୀବନ ଆଜି ପୂର୍ଣ୍ଣମୟ, ଆଜି ଧନ୍ୟ ।

 

ସ୍ୱାମୀ ସଦାନନ୍ଦଙ୍କର ଭାବନା ବଢ଼ିଲା । ଏପରି ନାରୀଦ୍ୱାରା ଓଡ଼ିଶାର କ’ଣ କରି ପାରିବେ, ଏହାହିଁ ଥିଲା ତାଙ୍କ ଭାବନାର ପ୍ରଧାନ ବିଷୟ ।

Image

 

(୧୨)

କାଳୀବୋହୂ

 

ଆଜି ସମଗ୍ର ଓଡ଼ିଶାରେ ମହାହୁଲସ୍ତୁଲ ପଡ଼ିଯାଇଅଛି । ରକ୍ଷଣଶୀଳ ହିନ୍ଦୁଦଳ ଶତ ମୁଖରେ ସ୍ୱାମୀ ସଦାନନ୍ଦ, ଦ୍ୱାରିକାନାଥ ଓ କୃଷ୍ଣଚନ୍ଦ୍ରଙ୍କର ସମାଲୋଚନା କରୁଛନ୍ତି । ଖବରକାଗଜ ମାନଙ୍କରେ ବିଦ୍ରୂପପୂର୍ଣ୍ଣ ଶତ ଶତ କବିତା, ପ୍ରବନ୍ଧ ଓ କଥୋପକଥନ ଛଳରେ ଚନ୍ଦ୍ରୋଦୟର ନିନ୍ଦା ଭାସି ଯାଉଛି । କାରଣ ବିଶିଷ୍ଟ କରଣ କୁଳର ଯୋଗ୍ୟ ପିତାର ଯୋଗ୍ୟ ପୁତ୍ର ହୋଇ ଭଣ୍ଡ ତପସ୍ୱୀ ସଦାନନ୍ଦ ଓ ବହୁରୂପା ଦ୍ୱାରିକାନାଥ, ଓ ଧର୍ମଛଡ଼ା କୃଷ୍ଣଚନ୍ଦ୍ରଙ୍କ ପ୍ରରୋଚନାରେ ପଡ଼ି ସେ ଗୋଟିଏ ଅଜ୍ଞାତକୁଳଶୀଳା ଯୁବତୀ ବିଧବାର ପାଣିଗ୍ରହଣ କରିଅଛନ୍ତି । ଶାସ୍ତିସ୍ୱରୂପ ଚନ୍ଦ୍ରୋଦୟ ଗୃହରୁ ବିତାଡ଼ିତ, ପିତୃ ସ୍ନେହରୁ ବଞ୍ଚିତ ଏବଂ ଜାତିଚ୍ୟୁତ । ଗୈରିକ ଧାରଣ କରି, ଚନ୍ଦ୍ରୋଦୟ ଗୈରିକ ବସନା, କାଚ ସିନ୍ଦୁର ମାତ୍ର ଭୂଷଣା ଲକ୍ଷ୍ମୀ ସହିତ ଯେତେବେଳେ ଇନ୍ଦିରାଙ୍କ ଗୃହରେ ପ୍ରବେଶ କଲେ, ଇନ୍ଦିରା ପରମସ୍ନେହରେ ଲକ୍ଷ୍ମୀକୁ କୋଳକୁ ଟାଣିନେଲେ । ତାଙ୍କ କନ୍ୟାଦ୍ୱୟ ମୀରା ଓ ଧୀରା, ପ୍ରଫୁଲ୍ଲ ପୁଷ୍ପରେ ଭ୍ରମର ତୁଲ୍ୟ ନବାଗତା କୃଷ୍ଣାସୁନ୍ଦରୀର ଅନିନ୍ଦ୍ୟ ମୁଖମଣ୍ଡଳର ସୌନ୍ଦର୍ଯ୍ୟ ପାନ କରିବାକୁ ଲାଗିଲେ । ଚନ୍ଦ୍ରୋଦୟଙ୍କୁ ସାଦର ସମ୍ଭାଷଣ କଲାପରେ ଲକ୍ଷ୍ମୀକୁ ଉଦ୍ଦେଶ୍ୟ କରି ଇନ୍ଦିରା କହିଲେ, ‘‘ମାଁ, ତୁମେ ମୋର କାଳୀବୋହୂ । ତୁମେ ଲକ୍ଷ୍ମୀ, ଆଶୀର୍ବାଦ କରୁଛି ଓଡ଼ିଆ ଘରର ଲକ୍ଷ୍ମୀ ହୁଅ ।” ଦ୍ୱାରିକାନାଥ ହସି ହସି କହିଲେ, ‘‘ଆଉ ଆମପୁତ୍ର ଚନ୍ଦ୍ରୋଦୟ ଓଡ଼ିଶାର ଅନ୍ଧାର ଆକାଶରେ ନବ ଚନ୍ଦ୍ରୋଦୟ ! ଆଶୀର୍ବାଦ କରୁଛି, ଦୁଇଜଣ ଦୀର୍ଘଜୀବୀ ହୋଇ ଦେଶର ହିତରେ ଲାଗିଥାଅ । ଜାତିଭେଦ, କୁସଂସ୍କାର, ନାରୀ ନିର୍ଯ୍ୟାତନା ଇତ୍ୟାଦି ଆତ୍ମ-ବଳରେ ଜୟ କରି ଓଡ଼ିଶାରେ ନବ ଯୁଗର ସୂଚନା କର ।”

 

ଶାନ୍ତିକୁଟୀରରେ ସମଗ୍ର ବାଳିକା ଓ ବିଧବାମାନଙ୍କର ଶିକ୍ଷା ଓ ତତ୍ତ୍ଵାବଧାନରେ ଲକ୍ଷ୍ମୀର ଦିନ ପରମାନନ୍ଦରେ ଅତିବାହିତ ହେଲା । ନାରୀତ୍ୱର ମହତ୍ୱ, ପତିର ଦେବତ୍ୱ, ନାରୀର ଅପୂର୍ବ ପାତିବ୍ରତ୍ୟର ମହିମା ଲକ୍ଷ୍ମୀର ଜୀବନକୁ ଉଜ୍ଜ୍ୱଳ କଲା । ସେ ଜୀବନରେ ବହୁଦୁଃଖ ଭୋଗ କରିଥିଲା, ବହୁଦେଶ ବୁଲିଥିଲା, ବହୁତ ଶିକ୍ଷା ମଧ୍ୟ ପାଇଥିଲା, ଚନ୍ଦ୍ରୋଦୟ ତୁଲ୍ୟ ମହାପୁରୁଷଙ୍କୁ ସ୍ୱାମୀ ରୂପେ ଲାଭ କରି ନିଜର ସବୁ ଦୁଃଖ ସାର୍ଥକ ମଣିଲା ଓ ଭଗବାନଙ୍କୁ ଧନ୍ୟବାଦ ଦେଲା । ଓଡ଼ିଶାର ନାରୀଜାତିର ଉନ୍ନତି ସକାଶେ ନିଜର ସମୁଦାୟ ରକ୍ତ ଢାଳି ଦେବାକୁ ସୁଦ୍ଧା ତାହାର ବାସନା ହେଉଥିଲା । ପତି ଦେବତାର ଚରଣ ପୂଜା କରି ଆଜି ତାହାର ଜୀବନ ସଫଳ । ଆର୍ଯ୍ୟ ନାରୀର ଆଦର୍ଶ ପାଳନ କରି ସେ ଧନ୍ୟା ହୋଇଅଛି । ମାତୃତ୍ୱର ପରମ ଗୌରବରେ ତାହାର ହୃଦୟ ପରିପୂର୍ଣ୍ଣ । ଲକ୍ଷ୍ମୀ ଆଜି ବାସ୍ତବରେ ଲକ୍ଷ୍ମୀ !

 

ସ୍ୱାମୀ ସଦାନନ୍ଦଙ୍କ ସାହାଯ୍ୟରେ ଇଚ୍ଛାପୁରରେ ବାଳକମାନଙ୍କର ଜାତୀୟ ବିଦ୍ୟାଳୟର ତତ୍ତ୍ଵାବଧାନ କରି ଚନ୍ଦ୍ରୋଦୟ ନିଜ ଜୀବନକୁ ସଫଳ ଜ୍ଞାନ କଲେ । ନୈମିଷ୍ୟାରଣ୍ୟର ଶିକ୍ଷା ଓ ସାଧନା ଭାରତ ବକ୍ଷକୁ ଫେରାଇ ଆଣିବାକୁ ସମସ୍ତେ ପ୍ରାଣପଣ ଚେଷ୍ଟା କଲେ ।

 

 

ଶ୍ରୀକ୍ଷେତ୍ରରେ ସ୍ୱାମୀ ସଦାନନ୍ଦଙ୍କ ମୃତ୍ୟୁଶଯ୍ୟା, ନିକଟରେ ଆଜି ସମସ୍ତେ ଉପବିଷ୍ଟା । ଇନ୍ଦିରା ଓ ସରସ୍ଵତୀଙ୍କ ଆକ୍ଷିରୁ ଲୁହ ଝରୁଛି । ଲକ୍ଷ୍ମୀ ମହାଶୋକରେ ପାଷାଣ ପାଲଟି ଗଲାଣି । ବିପିନବାବୁ, ଦ୍ୱାରିକାନାଥ, କୃଷ୍ଣଚନ୍ଦ୍ର ଓ ଚନ୍ଦ୍ରୋଦୟ ତାଙ୍କର ସେବା ଶୁଶ୍ରୂଷାରେ ଲାଗିଛନ୍ତି । କିଛିକ୍ଷଣପରେ ସଂଜ୍ଞା ଲାଭ କରି ନିଜର ପ୍ରାଣପ୍ରତିମ ଶିଷ୍ୟବର୍ଗଙ୍କୁ ଅନାଇ ସ୍ୱାମୀଜୀଙ୍କ ଚକ୍ଷୁ ଲୋତକ-ପୂର୍ଣ୍ଣ ହେଲା । କିନ୍ତୁ କିଛିକ୍ଷଣପରେ ସ୍ଥିର ହୋଇ ବିପିନ ବାବୁଙ୍କୁ ଅନାଇ କ୍ଷୀଣ କଣ୍ଠରେ କହିଲେ—‘‘ବାବା ! ମୁଁ କିଏ, ଅନେକଥର ତୁମ୍ଭେମାନେ ମତେ ପଚାରିଛ, କିନ୍ତୁ ମୁଁ କହିନାହିଁ । ଜୀବନର ଶେଷ ମୁହୂର୍ତ୍ତରେ କହିବି ବୋଲି ବାସନା କରିଥିଲି, ଆଜି ସେ ମୁହୂର୍ତ୍ତ ଉପସ୍ଥିତ । ବିସ୍ମିତ ହୁଅନାହିଁ, ମୁଁ ଜଣେ ରାଜା ପୁତ୍ର । ମୋହର ପ୍ରକୃତ ନାମ ଗଜପତି ନରସିଂହ ଜଗଦେବ ହରିଚନ୍ଦନ-। ଅନଙ୍ଗଭୀମ, ପୁରୁଷୋତ୍ତମ, ପ୍ରତାପରୁଦ୍ର ଯେଉଁ-ବଂଶ ଅଳଙ୍କୃତ କରିଥିଲେ ମୁଁ ସେହି ବଂଶର ଗୋଟିଏ ହୀନ ପଲ୍ଲବ । କହୁଁ କହୁଁ ତାଙ୍କର କଣ୍ଠ ରୁଦ୍ଧ ହେଲା; ସମସ୍ତେ ସ୍ତମ୍ଭୀଭୂତ ହେଲେ । କିଛି କ୍ଷଣ ଆକାଶକୁ ଅନାଇ ଅଲେଖ ନିରଞ୍ଜନଙ୍କୁ ଧ୍ୟାନ କରୁକରୁ ପୁଣି କହିଲେ—‘‘ଗୁରୁକୃପାରେ ନବୀନ ବୟସରେ ସନ୍ନ୍ୟାସ ଗ୍ରହଣ କରି ଓଡ଼ିଶାର ହିତ ସାଧନାରେ ମନ ପ୍ରାଣ ଢାଳି ଦେଇଥିଲି । ମୋହର ଗୁରୁ ସ୍ୱାମୀ ସଚ୍ଚିଦାନନ୍ଦ ଅଲେଖ ଧର୍ମବାଦୀ ଥିଲେ । ତାଙ୍କର ଶିକ୍ଷା ଫଳରେ ମୁଁ ଚିରଜୀବନ ଏକ ଈଶ୍ୱରଙ୍କୁ ଉପାସନା କରି ଆର୍ଯ୍ୟ ଜାତିର ସମୁଦାୟ ପୁରାତନ ରୀତି ନୀତି ଲୋକଙ୍କୁ ଶିକ୍ଷା ଦେଇଛି । ତୁମ୍ଭେମାନେ ଭଗବାନଙ୍କର ସ୍ତବ ଗାନ କର । ଆଉ ମୋହର ଆରମ୍ଭ କାର୍ଯ୍ୟ ଏକାନ୍ତ ଚିତ୍ତରେ ପୂର୍ଣ୍ଣ କର ।” ସଦାନନ୍ଦ ନୀରବରେ ମନ୍ତ୍ରୋଚ୍ଚାରଣ ଆରମ୍ଭ କଲେ ।

 

ସମସ୍ତେ ଭଗବାନଙ୍କର ସ୍ତବ କରୁ କରୁ ଅନାଇ ଦେଖିଲେ, ସଦାନନ୍ଦଙ୍କ ନୟନଦ୍ଵୟ ଉଜ୍ଜ୍ୱଳ ହୋଇ ଉଠିଲା । ସ୍ୱାମୀ ଧ୍ୟାନସ୍ଥ ହୋଇ ଦେହ ତ୍ୟାଗ କଲେ । କ୍ରନ୍ଦନର ରୋଳରେ ଗୃହ ପୂର୍ଣ୍ଣ ହେଲା ।

 

ସ୍ୱାମୀଙ୍କର ଯଥାବିଧି ସତ୍କାର କରି ସମସ୍ତେ ସ୍ଵ ସ୍ଵ ଗୃହକୁ ଫେରିଗଲେ । ଆଜି ସେମାନେ ଉପଯୁକ୍ତ ନେତା, ପରମ ସ୍ନେହୀ ପିତା ଆଉ ଧର୍ମଗୁରୁର ଅଭାବ ତୀବ୍ର ଭାବରେ ଅନୁଭବ କରୁଥିଲେ ।

 

ଚନ୍ଦ୍ରୋଦୟ ଓ ଲକ୍ଷ୍ମୀର ହୃଦୟରେ ସଦାନନ୍ଦଙ୍କର ମୃତ୍ୟୁ କଠିନ ଆଘାତ କରିଥିଲା । କିଛିଦିନ ସେମାନେ କେବଳ ଶୋକ କରି ବୁଲିଲେ । ପରେ ସ୍ୱାମୀଜୀଙ୍କ ଶେଷବାକ୍ୟ ସ୍ମରଣ କରି ଆରବ୍ଧ କାର୍ଯ୍ୟ ସଫଳାର୍ଥେ ମନଃପ୍ରାଣ ଢାଳି ଦେଲେ । ସ୍ୱାମୀଜୀଙ୍କର ସ୍ମରଣାର୍ଥେ ଲକ୍ଷ୍ମୀ ଆପଣାର ଗୋଟିଏ ପୁତ୍ରର ନାମ ସଦାନନ୍ଦ, ଅନ୍ୟଟିର ନାମ ଅଲେଖ ଓ କନ୍ୟାର ନାମ ନିରଞ୍ଜନା ଦେଲା ।

 

 

ବର୍ତ୍ତମାନ କାଳୀବୋହୂ ସମସ୍ତଙ୍କଠାରୁ ମେଲାଣି ମାଗୁଛି । ତାହାକୁ ବିଧାତା କାଳୀ କରି ସୃଷ୍ଟି କରିଅଛନ୍ତି । ଆଶାକରେ ପାଠକ ପାଠିକା ବର୍ଗ ଗାଳିଦ୍ୱାରା ତାକୁ ଅଧିକ କାଳୀ କରିବେ ନାହିଁ-

 

ଓଁ ତତ୍‍ ସତ୍‍

Image